ନୂଆ ଦାୟିତ୍ୱ ପାଇ ଫେରିବା ପରେ ନିର୍ବାଚନୀ ମୋଡରେ ନିରଞ୍ଜନ । କହିଲେ, ୨୦୧୯ ପାଇଁ କଂଗ୍ରେସର ଟାର୍ଗେଟ ୮୫ ପ୍ଲସ୍ । ଜୁଲାଇ ସୁଦ୍ଧା ଘୋଷଣା ହେବ ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ

28

କନକ ବ୍ୟୁରୋ: ନିର୍ବାଚନୀ ମୁଡରେ କଂଗ୍ରେସ । ୧୯’ରେ ଟାର୍ଗେଟ୍ ୮୫ + । ଏଭଳି କିଛି ପ୍ରତିଫଳିତ ହୋଇଛି ରାଜ୍ୟ କଂଗ୍ରେସରେ । ପିସିସିର ନବନିଯୁକ୍ତ ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ୩ ମାସ ମଧ୍ୟରେ କଂଗ୍ରେସ, ୫୦ ପ୍ରତିଶତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଦେବ । ଏଥିସହ ନିରଂଜନ କହିଛନ୍ତି, ୨୦୧୯ ରେ ଦଳ ୮୫ରୁ ଅଧିକ ଆସନ ପାଇବାକୁ ଟାର୍ଗେଟ୍ ରଖିଛି । ରାଜ୍ୟରେ ନିରାଶ ହୋଇପଡିଥିବା କଂଗ୍ରେସର ୮୫ ଟାର୍ଗେଟ୍ କହି ସମସ୍ତଙ୍କୁ ଚମକାଇଦେଇଛନ୍ତି ନୂଆ ସଭାପତି ।

କଂଗ୍ରେସ ଭବନରେ ଗହଳଚହଳି ଆରମ୍ଭ ହୋଇଯାଇଛି । ବିଭିନ୍ନ ପର୍ଯ୍ୟାୟରେ ତୃଣମୂଳ ସ୍ତରର ନେତା ନବନିଯୁକ୍ତ ପିସିସି ସଭାପତିଙ୍କୁ ଭେଟୁଛନ୍ତି ଏବଂ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଲୋଚନା ଆରମ୍ଭ କରିଦେଇଛନ୍ତି । ଗୋଟିଏ ସମୟରେ ସଂପୂଣ୍ଣ ନିରାଶ ହୋଇଯାଇଥିବା କଂଗ୍ରେସ ଏବେ ୮୫ ରୁ ଅଧିକ ଆସନ ପାଇବାକୁ ଟାର୍ଗେଟ୍ ରଖିଛି ।

ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ୧୦ ମାସ ବାକି ଥିବା ବେଳେ ଏବେ ଠାରୁ ପ୍ରାର୍ଥୀ ଘୋଷଣା ପାଇଁ କସରତ୍ ଆରମ୍ଭ କରିଦେଇଛନ୍ତି ନୂଆ ପିସିସି ସଭାପତି । ଏବଂ କହୁଛନ୍ତି, ଜୁଲାଇ ଶେଷ ସୁଦ୍ଧା ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଦେବେ । ଅକ୍ଟୋବର ନଭେମ୍ବର ସୁଦ୍ଧା ସବୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଯିବ । ତେବେ ନବନିଯୁକ୍ତ ପିସିସି ସଭାପତିଙ୍କ ଲଢୁଆ ରଣନୀତି, ରାଜ୍ୟ ରାଜନୀତିକୁ ସରଗରମ କରିଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ଦଳ ଏତେଶୀଘ୍ର ପ୍ରାର୍ଥୀ ଘୋଷଣା କରିଦିଏ ତେବେ ଅନ୍ୟ ଦଳ ଗୁଡିକ ମଧ୍ୟ ଏହି ରେସରେ ସାମିଲ ହୋଇଯିବାର ସମ୍ଭାବନା ରହିଛି ।