କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ସାରା ରାଜ୍ୟରେ ଶାଣିତ ହେଉଛି ପ୍ରତିବାଦର ସ୍ୱର । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ବିଦ୍ୟୁତ୍ ବିତରଣକାରୀ ସଂସ୍ଥାର କାର୍ଯ୍ୟାଳୟକୁ ଅଣ୍ଡା ଓ ଟମାଟୋ ମାଡ କରି ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ ।
୨୦୨୧ରେ ଟାଟା କମ୍ପାନୀ ଦାୟୀତ୍ୱ ନେବା ପୂର୍ବରୁ ଥିବା ବକେୟା ଟଙ୍କା ଆଦାୟ କଲେ ଗାଁ ଗଣ୍ଡାରେ ମାଡ ଖାଇବେ ଟାଟା କମ୍ପାନୀ କର୍ମଚାରୀ । ମାଲକାନଗିରିରେ ସିଧାସଳଖ ଏଭଳି ଧମକ ଦେଇଛନ୍ତି କଂଗ୍ରେସ କର୍ମୀ । ଟାଟା କମ୍ପାନୀ ବିଦ୍ୟୁତ ବିତରଣ ଦାୟୀତ୍ୱ ନେବା ପରେ ଗରିବ ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ବିଜୁଳି ପାଇଁ ମାତ୍ରାଧିକ ବିଲ୍ ଆଦାୟ କରୁଥିବା ସଂସ୍ଥା ଘନଘନ ବିଜୁଳି କାଟ୍ କରୁଛି । ଯାହାର ପ୍ରତିବାଦରେ ଅଣ୍ଡା ଓ ଟମାଟୋ ମାଡ ହୋଇଛି ।
ବିଜୁଳି ବିଭ୍ରାଟ ବିରୋଧରେ ଜୋରଦାର ବିକ୍ଷୋଭ । ଟାଟା କମ୍ପାନୀ ବିରୋଧରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଅଫିସ ଆଗରେ ପ୍ରତିବାଦ କରିବା ସହ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି କଂଗ୍ରେସ କର୍ମୀ । କ୍ରସର ଓ ମିଲ୍ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ସେମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଉଥିବା ବିଭାଗ ସାଧାରଣ ଲୋକଙ୍କୁ ଅଣଦେଖା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ସେପଟେ କଂଗ୍ରେସ କର୍ମୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି ଅଫିସର କାର୍ଯ୍ୟକାରୀ ଯନ୍ତ୍ରୀ କହିଛନ୍ତି ।
ଟାଟାପାୱାର ବିରୋଧରେ ଖୋର୍ଦ୍ଧା, କଟକ ଓ ଦେବଗଡରେ ବି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ଲୋ-ଭୋଲଟେଜ୍ ସାଙ୍ଗକୁ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଜଟଣୀରେ ଟାଟା ପାୱାର ଅଫିସ ଘେରିଛନ୍ତି ଜଟଣୀବାସୀ । ସେହିଭଳି କଟକ ନଗର କଂଗ୍ରେସ କମିଟି ସଭାପତିଙ୍କ ନେତୃତ୍ୱରେ ରାଣୀହାଟ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନକାରୀ । ସେପଟେ ଦେବଗଡ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ନଦିଅନ୍ତି ତାହେଲେ ଜିଲ୍ଲା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି ।