ପ୍ରଭାରୀଙ୍କ ତାଗିଦ ପରେ ବି ତୁଟୁନି କଂଗ୍ରେସ କଳି । କାଲି ହେଲା ବୁଝାମଣା, ଆଜି ପୁଣି ବିବାଦ । କୁଲେସିକା କହିଲେ, ତାରା କ୍ଷମା ମାଗିଲେ କଣ ହେବ, ହେଉ କାର୍ଯ୍ୟାନୁଷ୍ଠାନ ।

226

କନକ ବ୍ୟୁରୋ : ପ୍ରଭାରୀଙ୍କ ନାଲି ଆଖି ପରେ ନରମିଗଲେ ତାରାପ୍ରସାଦ ବାହୀନିପତି । ପିସିସି ସଭାପତିଙ୍କୁ କ୍ଷମା ମାଗିଲେ ହେଲେ ତା ପରେ ବି ତୁଟିନି କୋରାପୁଟ କଂଗ୍ରେସ କଳି । ତାରା ଓ ମିନାକ୍ଷୀଙ୍କ ସହ ମିଶି ଜିଲ୍ଲାରେ କାମ କରିବା କଷ୍ଟ ବୋଲି କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କୈଳାଶ କୁଲେସିକା । ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ବୁଝାଇବା ପରେ ବି କୋରାପୁଟ କଂଗ୍ରେସରେ ଯେମିତି ଥିଲା କନ୍ଦଳ ସେମିତି ରହିଥିବା ଦେଖିବାକୁ ମିଳିଛି ।

ଦୁଇ ଦିନ ଧରି ପ୍ରଭାରୀ ବୁଝାଇଲେ, ହେଲେ ତୁଟିଲାନି କଂଗ୍ରେସ କଳି । ଦୁଇ ଦିନ ହେଲା ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ବୁଝାଇ ବୁଝାଇ ନୟାନ୍ତ, ହେଲେ ନେତା ବୁଝିବାକୁ ନାରାଜ । କୋରାପୁଟ କଂଗ୍ରେସରେ ଯେମିତି ଥିଲା କନ୍ଦଳ, ପ୍ରଭାରୀ ବୁଝାଇବା ପରେ ବି ସେମିତି ରହିଥିବା ଦେଖିବାକୁ ମିଳିଛି । ଚେଲ୍ଲା କୁମାରଙ୍କ ଆକଟ ପରେ ତାରା ତାଙ୍କର ମନମୁଖୀ ବୟାନ ପାଇଁ ଭୁଲ ମାଗିଥିଲେ ଏବଂ ତାଙ୍କର ସ୍ୱର ନରମି ଯାଇଥିଲା । ଗଣମାଧ୍ୟମରେ କୌଣସି ମତ ନଦେବାକୁ ପ୍ରଭାରୀଙ୍କ ତାଗିଦ ପରେ ବି କୌଣସି ପରିବର୍ତ୍ତନ ହୋଇନାହିଁ । ପରସ୍ପର ଉପରେ ବିଷ ଉଗାଳିଛନ୍ତି କୈଳାସ କୁଲେସିକା ଓ ତାରା ବାହିନୀପତି ।

ଯେଉଁ ନେତା ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିବେ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ପ୍ରଭାରୀ । ତେବେ ନେତାଙ୍କ ପୁରୁଣା ରୋଗ ବାହାରିବା ପରେ ଚେଲ୍ଲା କୁମାର କହିଛନ୍ତି କଂଗ୍ରେସ ଏକ ବଡ ପରିବାର । ଏସବୁ କଥା ସାମ୍ନାକୁ ଆସିବ କିନ୍ତୁ ତାର ସମାଧାନ କରାଯିବ ।

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ବିଧାୟକ ଓ ସାଂସଦଙ୍କ ବୈଠକ ବସିଥିଲା । ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ କଂଗ୍ରେସ କର୍ମୀଙ୍କୁ ଏକାଠି କରିବା ପାଇଁ ଆଲୋଚନା ହୋଇଥିଲା ।

ଦୁଇ ଦିନ ଘନ ଘନ ବୈଠକ କରି ପ୍ରଭାରୀ ଦଳୀୟ ନେତାଙ୍କୁ ଶୃଙ୍ଖଳାର ଜ୍ଞାନ ପଢାଇଥିଲେ ମଧ୍ୟ ନେତାଙ୍କ ବୟାନବାଜୀରୁ ଦେଖିଲେ ଲାଗୁଛି ନେତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନି । ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ନେତାଙ୍କୁ କିପରି ଏକାଠି କରି ପଂଚାୟତ ନିର୍ବାଚନକୁ ଓହ୍ଲାଇବ କଂଗ୍ରେସ ।