ମାନିଲେନି ଦଳୀୟ ନିର୍ଦ୍ଦେଶ, ଦ୍ରୌପଦୀଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ : ମହମ୍ମଦ ମୋକିମଙ୍କ ବିରୋଧରେ ଦଳ ନେବ କି କାର୍ଯ୍ୟାନୁଷ୍ଠାନ ?

201

କନକ ବ୍ୟୁରୋ : ଦ୍ରୌପଦୀଙ୍କୁ ମୋକିମ୍ ଭୋଟ୍ ଦେବା ପରେ କଂଗ୍ରସ ମହଲରେ ଅସନ୍ତୋଷ । ଦଳୀୟ ନିର୍ଦ୍ଦେଶ ବିରୋଧରେ କିଭଳି ମୋକିମ ଭୋଟ ଦେଲେ ତାହାକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ନରସିଂହ ମିଶ୍ର କହିଲେ, ରାଷ୍ଟ୍ରପତି ନିର୍ବାଚନରେ ହ୍ୱିପ ଜାରି ହୁଏନି । କିନ୍ତୁ ବିଧାୟକମାନେ ଦଳୀୟ ନିର୍ଦ୍ଦେଶକୁ ମାନିବା କଥା । ସେପଟେ, ପିସିସି ସଭାପତି କହିଲେ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ ।

ଗଣମାଧ୍ୟମରୁ ଦେଖି ମୋକିମ୍ ଦ୍ରୌପଦୀଙ୍କୁ ଭୋଟ୍ ଦେବା କଥା ଜାଣିବାକୁ ପାଇଲୁ । ଯାଞ୍ଚ ପରେ ଦଳୀୟ ଫୋରମରେ ଚର୍ଚ୍ଚା କରି କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ସନ୍ତୋଷ ସିଂ ସାଲୁଜା କହିଲେ, ଏ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇବୁ । ତେବେ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବା ପାଇଁ ନିଷ୍ପତ୍ତି କରିଥିଲା କଂଗ୍ରେସ । ମୋକିମ୍ ନିର୍ଦ୍ଦେଶ ମାନିନଥିବାରୁ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି ତାରା ବାହିନୀପତି ।

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । କହିଲେ ଏହି ନିର୍ବାଚନରେ ଦଳୀୟ ହ୍ୱିପ୍ ଲାଗୁ ହୁଏନି । ବିଧାୟକ ଓ ସାଂସଦମାନେ ନିଜ ବିବେକ ଅନୁସାରେ ଭୋଟ୍ ଦେବାର ନିୟମ ରହିଛି । ଆଉ ଏପରି ସ୍ଥିତିରେ ମୋକିମ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବାକୁ କଂଗ୍ରେସ ନିଷ୍ପତି ନେଇଛି । ଦ୍ରୌପଦୀ ଓଡିଆ ଝିଅ ହୋଇଥିବାରୁ ତାଙ୍କୁ ଭୋଟ୍ ଦେଇଛନ୍ତି ବୋଲି ମହମ୍ମଦ ମୋକିମ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏ ନେଇ ଦଳର ହାଇକମାଣ୍ଡଙ୍କୁ ଅବଗତ କରାଇଥିବା କହିଛନ୍ତି । ଦଳୀୟ ନିର୍ଦ୍ଦେଶ ଅବମାନନା କରିଥିବାରୁ କଂଗ୍ରେସ ଆଗାମୀ ଦିନରେ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ନିଯୁକ୍ତ ହେବା ପରେ ମୋକିମ ଅସନ୍ତୁଷ୍ଟ ଥିବା ଜଣାପଡିନଥିଲା । ଏହାପରେ ବିଭିନ୍ନ ବୈଠକକୁ ମଧ୍ୟ ମୋକିମ ଆସିନଥିଲେ ।