କନକ ବ୍ୟୁରୋ: ଦେଶର ରାଜନୀତିରେ ବୋଧହୁଏ ପ୍ରଥମ । କଂଗ୍ରେସ ପ୍ରଥମ ଥର ପାଇଁ କୌଣସି ରାଜ୍ୟର କମିଟିକୁ ସଂପୂର୍ଣ୍ଣ ଭାଙ୍ଗିଦେଇଛି । କିନ୍ତୁ ଯେଉଁ ରାଜ୍ୟରେ କଂଗ୍ରେସ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିଲା । ସେହି ରାଜ୍ୟରେ ହଠାତ କାହଁକି ଶୀର୍ଷ ନେତା ଏପରି ନିଷ୍ପତି ନେଲେ ତାହା ଏବେ ଚର୍ଚ୍ଚାର ବିଷୟ । ଯଦିଓ ନିର୍ବାଚନ ବେଳେ କଂଗ୍ରେସ, ବିଜେଡି ଓ ବିଜେପି ଏକ ବୋଲି କହୁଥିଲା । କିନ୍ତୁ ଦଳର ଶୀର୍ଷ ନେତା କୁଆଡେ ଏବେ ହୃଦବୋଧ କରିଛନ୍ତି ଯେ କଂଗ୍ରେସ ନେତା ବିଜେଡି ସହ ଲିଙ୍କରେ ଥିଲେ । ତେଣୁ ସନ୍ଦେହ ବଢିବାରୁ ସଂଗଠନ ଭଙ୍ଗାଯାଇଥିବା କୁହାଯାଉଛି ।
କଂଗ୍ରେସ କୌଣସି ରାଜ୍ୟ ପାଇଁ ପ୍ରଥମଥର ଏମିତି ଏକ ନିଷ୍ପତ୍ତି ନେଇଛି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଓଡ଼ିଶାରେ ନିଜର ସଙ୍ଗଠନକୁ ଭାଙ୍ଗି ଦେଇଛି କଂଗ୍ରେସ। ଏଆଇସିସି ଚିଠିରେ ପଦଚ୍ୟୁତ ହୋଇଛନ୍ତି କଂଗ୍ରେସର ସମସ୍ତ ପଦାଧିକାରୀ। ନେତାଙ୍କ କହିବା କଥା, ୫୦ ବର୍ଷ ଭିତରେ ଓଡ଼ିଶା କଂଗ୍ରେସରେ ଏମିତି ହୋଇନଥିଲା। ଏଆଇସିସି ଓଡ଼ିଶା କଂଗ୍ରେସକୁ ମୁରୁବୀଶୂନ୍ୟ କରିବା ପଛର କାରଣ କଂଗ୍ରେସ କର୍ମୀଙ୍କୁ ଚକିତ କରିଛି। ୧୪ ବିଧାୟକଙ୍କୁ ଛାଡିଦେଲେ ଅନ୍ୟ ସବୁ ପଦବୀ ଫାଙ୍କା ପଡିଛି। ନଜର ପକାନ୍ତୁ ଏଇଆଇସିସିର ଭିତିରି ଖବର ରଖୁଥିବା ଜାତୀୟ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ଆଦେଶ ରାୱଲଙ୍କ ଏହି ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ, କଂଗ୍ରେସ ହାଇକମାଣ୍ଡ ଓଡ଼ିଶା ପାଇଁ ଏଭଳି କଠୋର ନିଷ୍ପତ୍ତି ନେବା ପଛର କାରଣ ହେଉଛି ଦଳର କିଛି ନେତାଙ୍କୁ ଛାଡିଦେଲେ ଅଧିକାଂଶ ନେତା ବିଜେଡି-ବିଜେପି ସହ ସନ୍ଧି କରି ନିଜ ଦଳକୁ କ୍ଷତି ପହଞ୍ଚାଉଛନ୍ତି। ଦଳର ଅନେକ ତୁଙ୍ଗ ନେତା ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦଳର ସ୍ବାର୍ଥକୁ ଜଳାଞ୍ଜଳି ଦେଉଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଏଭଳି ଅଭିଯୋଗ ଆସିବା ପରେ କଠୋର ନିଷ୍ପତ୍ତି ନେଇଛନ୍ତି ହାଇକମାଣ୍ଡ।
ଓଡ଼ିଶା କଂଗ୍ରେସର ନବକଳେବର କରିବାକୁ ଯାଉଛନ୍ତି ହାଇକମାଣ୍ଡ। ଖୁବଶୀଘ୍ର ଏମିତି ଜଣେ ନେତାଙ୍କ ହାତରେ ଦଳ ଦାୟିତ୍ବ ଦେବ ଯିଏ ୨୦୨୯ ପାଇଁ ରୋଡମ୍ୟାପ ଏବେଠୁ ପ୍ରସ୍ତୃତ କରିବେ। ୨୫ ବର୍ଷ ହେବ କ୍ଷମତାରୁ ଦୂରରେ ଥିବା କଂଗ୍ରେସ ନୂଆ ସଙ୍ଗଠନକୁ ନେଇ ପୁଣିଥରେ ଶାସନଭାର ସମ୍ଭାଳିବାକୁ ଅଣ୍ଟା ଭିଡିବ। ଯେଉଁଥିପାଇଁ ଦଳର ମଙ୍ଗ ଧରିବାକୁ ଏବେ ଅନେକ ନୂଆ ଓ ପୁରୁଣା ଚେହେରା ରେସରେ ରହିଛନ୍ତି।
ଖୁବଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ହାଇକମାଣ୍ଡ। ବିଶ୍ବସ୍ତ ଏବଂ ସାଙ୍ଗଠନିକ ଦକ୍ଷତା ଥିବା ନେତାଙ୍କ ତାଲିକା ପ୍ରସ୍ତୁତ କରିଛି ଏଆଇସିସି। ପିସିସି ସଭାପତି ପଦ ହାତେଇବାକୁ ଏଆଇସିସି ଅଫିସରେ ନେତାଙ୍କ ସମର୍ଥକଙ୍କ ଏବେଠୁ ଭିଡ ଜମିଲାଣି।