ପୁରୁଣାଦଳର ପୁରୁଣା ରୋଗ ଜାରି । ନିରଞ୍ଜନ ହଟାଅ ଅଭିଯାନରେ ୧୦ ତାରିଖରେ ଦିଲ୍ଲୀ ଯିବେ କଂଗ୍ରେସ ନେତା, ପିସିସି ସଭାପତିଙ୍କ ସପକ୍ଷରେ ବାହାରିଲେ ବିଧାୟକ ।

486

କନକ ବ୍ୟୁରୋ : କଂଗ୍ରେସରେ ଜୋର ଧରିଛି ନିରଞ୍ଜନ ହଟାଅ ଅଭିଯାନ । ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବାରମ୍ବାର ମେଳି ବାନ୍ଧି , ବୈଠକ ପରେ ବୈଠକ କରୁଛନ୍ତି । ଏହାରି ଭିତରେ ଆସନ୍ତା ୧୦ ତାରିଖରେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିବାକୁ ନିଷ୍ପତି ନିଆଯାଇଛି । ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଜଣେ ଯୁବ ନେତାଙ୍କୁ ରାଜ୍ୟ କଂଗ୍ରେସର ନେତୃତ୍ୱ ଦେବାକୁ ଏହି ଗୋଷ୍ଠୀ ଦାବି କରୁଛନ୍ତି । ଏପଟେ ବିଧାୟକ କିନ୍ତୁ ନିରଞ୍ଜନଙ୍କ ସପକ୍ଷରେ ବାହାରିଛନ୍ତି ।

ନିରଞ୍ଜନଙ୍କୁ ପିସିସିରୁ ହଟାଇବା ଅଥାର୍ତ କଂଗ୍ରେସକୁ ପୁଣିଥରେ ୨୦ ବର୍ଷ ପଛକୁ ଠେଲିଦେବା । ରାଜ୍ୟ କଂଗ୍ରେସର ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ପିସିସି ସଭାପତିଙ୍କ ବିରୋଧରେ ଦିଲ୍ଲୀ ଯାଆନ୍ତି । ଏଥର ବି ଯାଇଛନ୍ତି । କିନ୍ତୁ ରାଜ୍ୟ କଂଗ୍ରେସର ନେତା ପୁଣିଥରେ ନିରଞ୍ଜନ ପିସିସି ସଭାପତି ରୁହନ୍ତୁ ବୋଲି ଚାହୁଁଛନ୍ତି ବୋଲି କହିଛନ୍ତି ବିଧାୟକ ତାରା ବାହିନୀପତି । ପିସିସି ସଭାପତି ପରିବର୍ତନ ନେଇ ଗୋଟିଏ ଗୋଷ୍ଠୀ ଜୋରଦାର କସରତ କରୁଥିବା ବେଳେ ଅନ୍ୟପଟେ ନିରଂଜନଙ୍କ ସପକ୍ଷରେ ବାହାରିଛନ୍ତି ବିଧାୟକ । ନେତୃତ୍ୱ ପରିବର୍ତନ ନେଇ ବାରମ୍ବାର ବସୁଥିବା ମେଳି ବିରୋଧରେ ବର୍ଷିଛନ୍ତି ବରିଷ୍ଠ ନେତା ।

ଏହାରି ଭିତରେ ଆସନ୍ତା ୧୦ ତାରିଖରେ ଦିଲ୍ଲୀ ଯିବାକୁ ସଜବାଜ ହେଉଛନ୍ତି କିଛି କଂଗ୍ରେସ ନେତା । ଏହି ଗୋଷ୍ଠୀ ଦିଲ୍ଲୀରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ ଏବଂ ନିରଂଜନ ପଟ୍ଟନାୟକଙ୍କ ସ୍ଥାନରେ ଜଣେ ଯୁବ ନେତାଙ୍କୁ ରାଜ୍ୟ କଂଗ୍ରେସର ଦାୟିତ୍ୱ ଦେବାକୁ ହାଇକମାଣ୍ଡଙ୍କୁ ଦାବି ଜଣାଇବେ । ସେପଟେ ପୁରା ଘଟଣାକୁ ଦଳର ଆଭ୍ୟନ୍ତରୀଣ ବ୍ୟାପାର କହିଛନ୍ତି ପିସିସି ସଭାପତି । ତେବେ ସଫା ସଫା କହିଛନ୍ତି, ଯେଉଁ ଦଳରେ ଶୃଙ୍ଖଳା ନାହିଁ ସେହି ଦଳ ଆଗକୁ ବଢିପାରିବ ନାହିଁ । ସାଧାରଣ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ଦୁଇ ଦୁଇଟି ଉପନିର୍ବାଚନରେ ମଧ୍ୟ ଦଳ ଫେଲ୍ ମାରିଛି । ହେଲେ କଂଗ୍ରେସରେ କନ୍ଦଳ କମିବାର ନାଁ ନେଉନି ।