ବିଜେପି-ବିଜେଡି ମଧ୍ୟରେ ଭିତିରିଆ ସମ୍ପର୍କର ଅଭିଯୋଗ ଆଣିଲେ ଚେଲ୍ଲା କୁମାର: କହିଲେ, ଉଭୟ ମିଶି ଲୁଟୁଛନ୍ତି ରାଜ୍ୟ ସମ୍ପଦ

ନିରଂଜନ ପଟ୍ଟନାୟକ କହିଲେ, ପରୀ ପ୍ରସଙ୍ଗରେ ଦଳ ନୀରବ ରହିବ ନାହିଁ

113

କନକ ବ୍ୟୁରୋ:  ପରୀ ବଦଳାଉଛି ରାଜନୀତିର ପରିଭାଷା । ନୟାଗଡର ପରୀ ମୃତ୍ୟୁର ୫ ମାସ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ପରୀକୁ ନ୍ୟାୟ, ମନ୍ତ୍ରୀଙ୍କ ଇସ୍ତଫା ଓ ପରୀହତ୍ୟାକାରୀକୁ ଦଣ୍ଡ ଏମିତି ଅନେକ କିଛି ନାରା ଦେଇ ରାଜ୍ୟସରକାରଙ୍କୁ ଘେରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏନେଇ ଉଭୟ ଦଳର ନେତା ପରୀର ଘରକୁ ଯାଇ ତାଙ୍କ ବାପା ମାଙ୍କୁ ଭେଟିଛନ୍ତି । ସେଠାରୁ ଫେରିବା ପରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ପୋଲିସ ଓ ପ୍ରଶାସନକୁ ଦୋଷ ଦେବା ପରିବର୍ତ୍ତେ ରାଜନୀତି କରିବା ଆରମ୍ଭ କରିଦେଇଛନ୍ତି । ଗତକାଲି ପରି ଘରୁ ଫେରିବା ପରେ ଆଜି ପିସିସି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚେଲ୍ଲା କୁମାର ବିଜେଡି ଓ ବିଜେପି ଭିତରେ ମଧୁର ସଂପର୍କ ଥିବା କଥା କହିଛନ୍ତି ।

ଚେଲ୍ଲା କୁମାର କହିଛନ୍ତି କି, ଉଭୟ ବିଜେପି ଓ ବିଜେଡି ଭିତରେ ମଧୁର ସଂପର୍କ ରହି ସେମାନେ ରାଜ୍ୟର ସଂପଦକୁ ଲୁଟୁଛନ୍ତି । ରାଜ୍ୟର ପ୍ରଶାସନକୁ କବଜ୍ାରେ ରଖି ସେମାନେ ଦୁର୍ନିତୀ କରିଚାଲିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପିସିସି ସଭାପତି ପରୀ ମାମଲାକୁ ନେଇ ମୁହଁ ଖୋଲିଛନ୍ତି । ପରୀ ପ୍ରସଙ୍ଗରେ କଂଗ୍ରେସ ନିରବ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ପରୀ ମାମଲାରେ ତା’ର ବାପା ମା କିଭଳି ନ୍ୟାୟ ପାଇବେ ସେ ନେଇ ବିରୋଧୀ ଦଳ ହିସାବରେ ଯାହା କରାଯିବା ଉଚିତ ସେଥିପାଇଁ କଂଗ୍ରେସ ପ୍ରସ୍ତୁତ ରହିଛି ।

କହିରଖୁ କି ପରୀ ମାମଲାରେ ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ଦେବା ପରେ ଏନେଇ କଂଗ୍ରେସ ଖୁସିଥିବା ଜଣାପଡିଥିଲା । କଂଗ୍ରେସର କିଛି ବିଧାୟକ କହିଥିଲେ ଯେ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ପରୀ ମାମଲାରେ ଆମେ ଯାହା ଦାବି କରିଥିଲେ ସରକାର ତାହା ଗ୍ରହଣ କରିଛନ୍ତି । ତେଣୁ ତାକୁ ନେଇ କଂଗ୍ରେସ ଅଧିକ ହଟ୍ଟଗୋଳ କରିବାର ଆବଶ୍ୟକତା ନାହିଁ ।