ନୂଆ ପ୍ରଭାରୀ ଆସିବା ପରେ ରାଜ୍ୟ କଂଗ୍ରେସର ବଢ଼ୁଛି ଜୋସ୍ । ତେଲେଙ୍ଗାନା କଂଗ୍ରେସ ଢ଼ାଂଚାରେ ବିଜେଡି-ବିଜେପିର ପ୍ରତୀକାତ୍ମକ ବିବାହ ଉତ୍ସବ ପରେ ଦଳର ନେତା ଓ କର୍ମୀ ଉତ୍ସାହିତ

102

କନକ ବ୍ୟୁରୋ : ରାଜ୍ୟରେ ଦଳର ସ୍ଥିତି ବଂଚାଇ ରଖିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିର ବେଶ ଚଳଚଂଚଳ ହୋଇପଡିଛି । ବିଶେଷକରି ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ, ପୂର୍ବତନ ଆଇପିଏସ୍ ଅଫିସର ଅଜୟ କୁମାର ଆସିବା ପରେ, ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହୋଇପଡିଛନ୍ତି । ଦଳର ଛାମୁଆ ସଂଗଠନ ମାନଙ୍କ ସହ ଆଲୋଚନା ପରେ, ଆକ୍ରମଣାତ୍ମକ ଢ଼ଂଗରେ କଂଗ୍ରେସ ପକ୍ଷରୁ ବିଜେଡି ଓ ବିଜେପିକୁ ଜୋରଦାର ବିରୋଧ କରାଯାଉଛି । ତେଲେଙ୍ଗାନା ଢ଼ାଂଚାରେ ବିଜେପି- ବିଜେଡି ମଧ୍ୟରେ ଥିବା ସମ୍ପର୍କକୁ ଦେଖାଇବା ପାଇଁ ରାଜନୈତିକ ବାହାଘରର ଆୟୋଜନ କରାଯାଇଛି । ରାଜ୍ୟରେ ବିଜେଡିର, ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ବୋଲି ଲୋକଙ୍କୁ ଦେଖାଇବାକୁ ଉଦ୍ୟମ କରିଛି ଦଳ ।

୨୦୧୭ ପଂଚାୟତ ନିର୍ବାଚନ ପରଠାରୁ ରାଜ୍ୟରେ କଂଗ୍ରେସ ଧିରେ ଧିରେ ଦୁର୍ବଳ ହୋଇ ଚାଲିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଦଳ ଆହୁରି ଦୁର୍ବଳ ହୋଇ ଯାଇଥିଲା । ବିଧାୟକଙ୍କ ସଂଖ୍ୟା ୯କୁ ଖସି ଆସିଥିଲା । ଆଉ ତୃତୀୟ ସ୍ଥାନରେ ରହି ସଂଘର୍ଷ କରୁଥିବା ଦଳ କେବେ ପୁଣି ଥରେ ଉପରକୁ ଉଠିବ ତାକୁ ନେଇ ନେତା ଓ କର୍ମୀ ସନ୍ଦେହରେ ଥିଲେ । ହେଲେ, ପିସିସିର ନୂଆ ପ୍ରଭାରୀ ଆସିବା ପରେ, ପୁରୁଣା ନେତା ଘର ବାହୁଡିବା, କଂଗ୍ରେସ ଏକାଠି ହେବା ଦଳରେ ନୂଆ ଆଶା ଭରି ଦେଇଛି । ଏପରିକି କଂଗ୍ରେସର ଏଭଳି ପରିବର୍ତନକୁ ନେଇ ରାଜନୀତି ସମୀକ୍ଷକ ଭିନ୍ନ ଆକଳନ କରିଛନ୍ତି ।

ଆସନ୍ତା ୨୯ତାରିଖରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ, ଭୁବନେଶ୍ୱର ଲୋୟର ପିଏମଜିରେ ଆୟୋଜିତ ଏକ ବିଶାଳ କର୍ମୀ ସମାବେଶରେ ଯୋଗ ଦେବେ । ଏହି ସମାବେଶକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ହୋଇଛି ପ୍ରସ୍ତୁତି ବୈଠକ ।