କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହୋଇନି, କିନ୍ତୁ ଟିକେଟ କସରତରେ ଅନ୍ୟ ରାଜନୈତିକ ଦଳଠାରୁ ଆଗରେ ରହିଛି କଂଗ୍ରେସ । ଟିକେଟ୍ ପାଇଁ ‘ପ୍ରଗମନ ଆପ୍’ ଜରିଆରେ ଆଶାୟୀଙ୍କ ଅନଲାଇନ ଆବେଦନ ଭଳି ବ୍ୟବସ୍ଥା କରି ଅଭିନବ ଉଦ୍ୟମ ଆରମ୍ଭ କରିଥିଲେ କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର । ବିଧାୟକ ପ୍ରାର୍ଥୀ ପାଇଁ ପ୍ରାୟ ୩ ହଜାର ଏବଂ ସାଂସଦ ପ୍ରାର୍ଥୀ ହେବାକୁ ୭୦୦ ଜଣ ଆବେଦନ କରିଥିବା ବେଳେ ଏହାକୁ ନେଇ ତୁହାକୁ ତୁହାକୁ ଆଲୋଚନା କରାଯାଇଛି ।

  • ସମ୍ଭାବ୍ୟ ପ୍ରାର୍ଥୀଙ୍କ ପାଇଁ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି
  • ଗୋଟିଏ ଆସନ ପାଇଁ ୩ ଜଣ ଆଶାୟୀଙ୍କ ନାଁ ଦିଲ୍ଲୀ ପଠାଯିବ
  • ତାଲିକାରେ ନାହାନ୍ତି ବାରମ୍ବାର ହାରିଥିବା ନେତା
  • ୨୦୧୯ରେ କମ୍ ବ୍ୟବଧାନରେ ହାରିଥିବା ନେତା ସଂଗଠନ ସହ ନଥିଲେ ଟିକେଟ ମନା
  • ଅଳ୍ପ ଭୋଟରେ ହାରିଥିବା ଆସନରେ ପ୍ରଥମେ ଘୋଷଣା ହେବ ପ୍ରାର୍ଥୀ 
  • ମହିଳା ଓ ଯୁବବର୍ଗକୁ ଗୁରୁତ୍ୱ

ପ୍ରଗମନ ଆପରେ ଆବେଦନ କରିବା ପାଇଁ ଯେଉଁ ସର୍ତ୍ତ ରଖାଯାଇଥିଲା, ତାକୁ ଯେଉର୍ମାନେ ପୂରଣ କରିନଥିବେ, ସେମାନେ ହୋଇପାରିବେନି ପ୍ରାର୍ଥୀ । ଆଜି ପ୍ରଦେଶ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ବୈଠକରେ ସାମିଲ ହୋଇ ନିଜ ନିଜର ମତ ରଖିଥିଲେ । ନିଷ୍କର୍ସ ନ ବାହାରିବାରୁ ଆଉଥରେ ଏହି ବୈଠକ ବସିବ ଏବଂ ଏଥିରେ ପ୍ରାର୍ଥୀଙ୍କ ସମ୍ଭାବ୍ୟ ତାଲିକା ଚୂଡ଼ାନ୍ତ କରାଯିବ ବୋଲି ଜଣାପଡିଛି ।

ସବୁଠାରୁ ବଡ଼ କଥା ହେଲା, ପ୍ରାୟ ୭୦ ଆସନରେ ପ୍ରାର୍ଥୀଙ୍କ ନାଁ ଶୀଘ୍ର ଘୋଷଣା କରାଯିବ । ଫଳରେ ସେମାନେ ପ୍ରଚାର ପାଇଁ ଯଥେଷ୍ଟ ସମୟ ପାଇବେ ବୋଲି ଚିନ୍ତା କରିଛନ୍ତି ଦଳର ନେତୃତ୍ୱ ।