କନକ ବ୍ୟୁରୋ: ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କ ବୟାନକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । କଂଗ୍ରେସ ନେତା ହିଂସା ପାଇଁ ଲୋକଙ୍କୁ ଉସୁକାଉଥିବା ଖବର ପ୍ରକାଶ କରିଛନ୍ତି ଜାତୀୟ ଗଣମାଧ୍ୟମ ଗୁଡିକ । ହିନ୍ଦି ଭାଷାଭାଷି ଅଂଚଳରେ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲ ଆଜତକ ଏହି ଖବରକୁ ପ୍ରକାଶ କରି ଲେଖିଛି- କଂଗ୍ରେସ ନେତା କହିଲେ ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖ । ନିର୍ଦ୍ଦେଶ ମିଳିଲେ ସବୁକିଛି ଜାଳିଦେବ । ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନବରଙ୍ଗପୁର ବନ୍ଦ ଡକରା ଦିଆଯାଇଥିଲା । ଆଉ ଏହି ସମୟରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ହିଂସାକୁ ଉସୁକାଇଲା ଭଳି ବୟାନ ଦେଉଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଥିବା ଲେଖିଛି ଆଜତକ୍ ।

Advertisment

publive-image

ସେହିଭଳି ଇଂରାଜୀ ଖବରକାଗଜ ଫାଇନାନସିଆଲ ଏକ୍ସପ୍ରେସ ମଧ୍ୟ ସମାନ ଶିରୋନାମାରେ ଖବର ପ୍ରକାଶ କରିଛି । ଓଡିଶା କଂଗ୍ରେସ ନେତା କିଭଳି ହିଂସାକୁ ଉସୁକାଇବା ପାଇଁ ଫୋନରେ ପେଟ୍ରୋଲ ପ୍ରସ୍ତୁତ ରଖିବାକୁ କହୁଛନ୍ତି ତାହା ହିଁ ପ୍ରକାଶ କରିଛି ଫାଇନାନସିଆଲ ଏକ୍ସପ୍ରେସ । ଆଉଏକ ପ୍ରମୁଖ ଜାତୀୟ ଗଣମାଧ୍ୟମ ଜି-ନ୍ୟୁଜ ମଧ୍ୟ ପ୍ରଦୀପ ମାଝୀଙ୍କ ବିବାଦୀୟ ଭିଡିଓକୁ ସ୍ଥାନିତ କରିଛି । କଂଗ୍ରେସ ନେତାଙ୍କ ହିଂସା ସୃଷ୍ଟିକାରୀ ବୟାନ ଶୁଣିବା ପାଇଁ ଏହି ଗଣମାଧ୍ୟମ ଖବର ପ୍ରକାଶ କରିଛି । ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖିବା ସହ ନିର୍ଦ୍ଦେଶ ମିଳିବା ମାତ୍ରେ ସବୁକିଛି ଜାଳି ପୋଡି ଦେବାକୁ ବାୟନରେ କୁହାଯାଉଥିବା ଗଣମାଧ୍ୟମ ଲେଖିଛି ।

publive-image

ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ, ନବରଙ୍ଗପୁର ବନ୍ଦ ପାଳନ ବେଳେ ପ୍ରଦୀପ ମାଝୀଙ୍କ ଏହି ବିବାଦୀୟ ବୟାନର ଭିଡିଓକୁ ଟ୍ୱିଟ କରିବା ସହ କଂଗ୍ରେସ ନେତା କିଭଳି ହିଂସାକୁ ଉସୁକାଇବା ପାଇଁ ପ୍ରୟାସ କରୁଛନ୍ତି, ତାହା ଜଣାଇବାକୁ ଚାହିଁଛନ୍ତି । ଏହାକୁ ସିଏଏ ପ୍ରତିବାଦ ସହ ଯୋଡି କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ହିଂସାତ୍ମକ ପ୍ରତିବାଦକୁ ସମ୍ବୋଧନ କଲାବେଳେ ସୋନିଆ କାହିଁକି ଶାନ୍ତି ପାଇଁ ଅପିଲ କଲେନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହାଦ୍ୱାରା କ୍ୟାଡର ଦ୍ୱନ୍ଦ୍ୱରେ ପଡିଯିବେ ବୋଲି କହି ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଆଇଟି ସେଲ ମୁଖ୍ୟ ।

publive-image

ସେପଟେ, ବଢିଲା କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ଅଡୁଆ । ନିଆଁ ପାଇଁ ସମର୍ଥକଙ୍କୁ ଆହ୍ୱାନ ଦେଇ ଚର୍ଚ୍ଚାରେ  ଥିବା ପ୍ରଦୀପ ମାଝିଙ୍କ ନାଁରେ ମାମଲା ରୁଜୁ ହୋଇଛି ।  ନବରଙ୍ଗପୁର ପୋଲିସ ନିଜଆଡୁ ମାମଲା ରୁଜୁ କରିଛି   । ଗତକାଲି ନବରଙ୍ଗପୁରରେ ବନ୍ଦ ପାଳନ ବେଳେ ସେ ନିଆଁ ଲଗାଇବାକୁ ସମର୍ଥକକୁ ଆହ୍ୱାନ ଦେଇଥିଲେ । ଫୋନ୍ ଯୋଗେ ନିଆଁ ଲଗାଇବା ପାଇଁ କହୁଥିବା ବେଳେ କ୍ୟାମେରାରେ ସେହି ଭିଡିଓ କଏଦ ହୋଇଥିଲା । ନିଜ ସୁରକ୍ଷା ଓ ହକ ପାଇଁ କଂଗ୍ରେସ ସୁବାସ ବୋଷଙ୍କ ନୀତି ଆପଣେଇବ ବୋଲି କହିଥିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ।