ଓଡିଶା ବାହାରେ ଫସିଥିବା ଓଡିଆଙ୍କ ଉଦ୍ଧାର ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ । କହିଲେ ସେମାନଙ୍କ ବାବଦରେ ସବୁ ଖର୍ଚ୍ଚ ବହନ କରିବେ ଓଡିଶା ସରକାର

6,893

କନକ ବ୍ୟୁରୋ : ଓଡିଶା ବାହାରେ ଫସିଥିବା ଓଡିଆ ଲୋକଙ୍କ ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ । ଚିଠିରେ ନବୀନ ଅପିଲ୍ କରିଛନ୍ତି ତାଙ୍କ ରାଜ୍ୟରେ ଫସିଥିବା ଓଡିଆ ଲୋକଙ୍କୁ ସମ୍ପୃକ୍ତ ରାଜ୍ୟ ସହାୟତାର ହାତ ବଢାଉ । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା ଓଡିଶା ସରକାର ବହନ କରିବ ବୋଲି ନବୀନ ଲେଖିଛନ୍ତି । ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରିବା ପାଇଁ ଅନୁରୋଧ କରିଛନ୍ତି । କରୋନା ପାଇଁ ଆନ୍ତଃରାଜ୍ୟ ବସ୍, ଟ୍ରେନ୍ ସମେତ ଅନ୍ୟ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯିବା ପରେ ବିଭିନ୍ନ ରାଜ୍ୟରେ ଓଡିଆ ଲୋକମାନେ ଫସି ରହିଛନ୍ତି । କେଉଁଠି ତୀର୍ଥଯାତ୍ରା ପାଇଁ ଯାଇ ଲୋକେ ଫସିଯାଇଛନ୍ତି ତ ଆଉ କେଉଁଠି ପାଠପଢା ପାଇଁ ଯାଇଥିବା ଛାତ୍ରଛାତ୍ରୀମାନେ ଫସିଛନ୍ତି ।

ଅନେକ ସ୍ଥାନରେ ହସ୍ପିଟାଲକୁ ଯାଇ ମଧ୍ୟ ଅନେକ ଲୋକ ଫସି ରହିଛନ୍ତି । ଭିଡିଓ ମେସେଜରେ ସେମାନେ ବାର୍ତା ପଠେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି । ଏଭଳି ପରିସ୍ଥିତିରେ ନବୀନ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିବା ପରେ ସେମାନଙ୍କ ଉଦ୍ଧାର ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି । ଏହାଛଡା ଯଦି ଓଡିଶାରେ ଅନ୍ୟ ରାଜ୍ୟର ଲୋକ ଫସିଥାନ୍ତି ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ନବୀନ ଲେଖିଛନ୍ତି । ଯଦି ପ୍ରଶାସନ ତାଙ୍କ କଥା ନଶୁଣେ, ତେବେ ସିଧାସଳଖ ତାଙ୍କୁ ଫୋନ କରିବା ପାଇଁ ଲେଖିଛନ୍ତି ।

Comments are closed.