ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ଆଉ ୮ ମାସ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ ଯୋଗାଇ ଦେବାକୁ କଲେ ଦାବି

773

କନକ ବ୍ୟୁରୋ : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୮ ମାସ ପାଇଁ ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ସମୟରେ ୭ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୭ ମାସ ପାଇଁ ଚାଉଳ ଯୋଗାଇ ଦେଇଥିଲେ କେନ୍ଦ୍ର ସରକାର ।

ଚଳିତବର୍ଷ ମେ’ରୁ ନଭେମ୍ବର ପର୍ଯ୍ୟନ୍ତ ଚାଉଳ ଯୋଗାଣକୁ ବୃଦ୍ଧି କରାଯାଇଥିଲା । ଏବେ ତାହା ବନ୍ଦ ହୋଇଯିବ । ହେଲେ କରୋନାର ପ୍ରଭାବ କମିନଥିବାରୁ ଆଉ ୮ ମାସ ଯାଏଁ ଏହି ଯୋଜନାରେ ଗରିବ ହିତାଧିକାରୀଙ୍କୁ ଚାଉଳ ଯୋଗାଣ ପାଇଁ ଅନୁରୋଧ କରିଛନ୍ତି ନବୀନ । ସରକାରଙ୍କ ପାଖରେ ପର୍ଯ୍ୟପ୍ତ ଖାଦ୍ୟାନ୍ନ ମହଜୁଦ ଥିବାରୁ ଏଥିନେଇ ବିଚାର କରିବାକୁ କହିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ମହାମାରୀ ସମୟରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅଧୀନସ୍ଥ ହିତାଧିକାରୀମାନଙ୍କ ନିମନ୍ତେ ୭ ମାସ ଲାଗି ମାଗଣା ଚାଉଳ ଯୋଗାଇ ଦେଇଥିବାରୁ ଆନ୍ତରିକ ଧନ୍ୟବାଦ। ଏଥିଯୋଗୁଁ, କୋଭିଡ୍‌-୧୯ ମହାମାରୀ ଭଳି ସଙ୍କଟମୟ ସମୟରେ କୌଣସି ଅଭାବୀ ଏବଂ ଅସହାୟ ଜନତା ଖାଦ୍ୟଶସ୍ୟ ପାଇବାରୁ ବଞ୍ଚିତ ହୋଇନାହାନ୍ତି ।

‘ପିଏମ୍‌ଜିକେଏୱାଇ-୩’ ‘କ୍ବୋଟା’ରେ ଆସିଥିବା ଖାଦ୍ୟଶସ୍ୟ ବଣ୍ଟନ ଉପରେ ଗୁରୁତ୍ବ ଦେଇ ଓଡ଼ିଶା ୨୦୨୧ ନଭେମ୍ବର ୫ ତାରିଖ ସୁଦ୍ଧା ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୭ ମାସ ପାଇଁ ସେ ସବୁ ଯୋଗାଇଦେଇଛି। ସେହିଭଳି, ରାଜ୍ୟ ମଧ୍ୟ ତା’ର ‘ଖାଦ୍ୟ ନିରାପତ୍ତା ଯୋଜାନା’ରେ ହିତାଧିକାରୀମାନଙ୍କୁ ସୁବିଧା ଯୋଗାଇ ଦେଇଛି। ଏବେ ମଧ୍ୟ ମହାମାରୀ ପରିସ୍ଥିତିରେ ସୁଧୁରି ନ ଥିବାରୁ ସରକାର ଅସହାୟ ଜନତାଙ୍କୁ ରିଲିଫ୍‌ ଯୋଗାଇ ଦେବା ଆବଶ୍ୟକ। ସମ୍ପ୍ରତି ସରକାରଙ୍କ ନିକଟରେ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ଗଚ୍ଛିତ ଥିବାରୁ ଆଗାମୀ ୮ ମାସ ପାଇଁ ମାଗଣା ଚାଉଳ ଯୋଗାଇ ଦେବା କଥା ବିଚାର କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।