ଆଜି ଚାଷୀଙ୍କ ଖାତାକୁ ଆସିବ ସରକାରୀ ସହାୟତା : କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଖାତାକୁ ପଠାଇବେ ଟଙ୍କା

ସେପଟେ କିଷାନ ସମ୍ମାନନିଧି ଯୋଜନାରେ ସାଢ଼େ ୯ କୋଟି ଚାଷୀଙ୍କ ଖାତାକୁ ମୋଦି ପଠାଇବେ ସହାୟତା

522

କନକ ବ୍ୟୁରୋ : ଆଜି ଚାଷୀଙ୍କ ଖାତାକୁ ଆସିବ ସରକାରୀ ସହାୟତା । କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ କାଳିଆ ଯୋଜନାର କିସ୍ତି ଟଙ୍କା ଦିଆଯିବ । ଗତ ଫେବୃୟାରୀ ୧୨ ତାରିଖରେ କାଳିଆର ତୃତୀୟ କିସ୍ତି ଟଙ୍କା ଦିଆଯାଇଥିଲା । ଏଥିରେ ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ କାଳିଆ ଅର୍ଥ ଦିଆଯାଇଥିଲା । ଏଥିପାଇଁ ୧୨ ଶହ ୭୨ କୋଟିରୁ ଅଧିକ ଟଙ୍କା ଦିଆଯାଇଥିଲା ।

ତୃତୀୟ କିସ୍ତି ବାବଦରେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ହିତାଧିକାରୀମାନଙ୍କୁ ୨ହଜାର ଟଙ୍କା ଲେଖାଏଁ ଦେଇଥିଲେ । ୨୦୧୮ ମସିହାରେ କାଳିଆ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ଲକ୍ଷ ୫ହଜାର ୨୯୦ଚାଷୀଙ୍କ ଆକାଂଉଟକୁ ୫ହଜାର ଟଙ୍କା ଲେଖାଁଏ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ଏଥିରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀ ଥିବାବେଳେ ୧୪ ଲକ୍ଷ ୭୦ ହଜାର ୫୬୮ ଭୂମିହୀନ ଚାଷୀ ସହାୟତା ପାଇଥିଲେ ।

୨୦୧୯ ଖରିଫ ଋତୁ ପାଇଁ କାଳିଆର ଦ୍ୱିତୀୟ କିସ୍ତି ଅର୍ଥ ମୋଟ ୪୮ ଲକ୍ଷ ୬୫ ହଜାର ୫୩ ଜଣ ଚାଷୀଙ୍କୁ ଦିଆଯାଇଥିଲା । ଏହି କିସ୍ତିରେ ବି କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କୁ ୫ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା । ଆଉ ଆଜି ଅକ୍ଷୟ ତୃତୀୟ ଅବସରରେ କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କିଷାନ ସମ୍ମାନନିଧି ଯୋଜନାରେ ଆର୍ଥିକ ସହାୟତାର ଅଷ୍ଟମ କିସ୍ତି ପଠାଇବେ । ଏଥିରେ ସାଢ଼େ ୯ କୋଟି ଚାଷୀଙ୍କ ଖାତାକୁ ସହାୟତା ପଠାଇବେ ପ୍ରଧାନମନ୍ତ୍ରୀ ।