ବର୍ଷିଆନ୍ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ । ଚେନ୍ନାଇର ଏକ ଘରୋଇ ହସପିଟାଲରେ ଚାଲିଛି ଚିକିତ୍ସା

278

କନକ ବ୍ୟୁରୋ : ଖଲିକୋଟ ରାଣୀ ତଥା ବର୍ଷିଆନ ରାଜନେତା, ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ । ଚେନ୍ନାଇର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆଜି ସଂଧ୍ୟାରେ ଚେନ୍ନାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଫାଇଭ-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଚେନ୍ନାଇ ଯାଇଛନ୍ତି । ସୁଜ୍ଞାନ କୁମାରୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ । ୧୦ ଥର ବିଧାୟିକା ଭାବେ ସେ ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଛନ୍ତି । ୧୯୬୧ ମସିହାରେ ଖଲିକୋଟ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାରେ ପାଦ ଥାପିଥିଲେ ସୁଜ୍ଞାନ କୁମାରୀ ଦେଓ । ଏହା ପରେ ଷଷ୍ଠ ବିଧାନସଭାକୁ ସେହି ଖଲିକୋଟ ଆସନରୁ ନିର୍ବାଚିତ ହୋଇଥିଲେ । ଅଷ୍ଟମ ବିଧାନସଭାକୁ ଛାଡିଦେଲେ କ୍ରମାଗତ ଭାବେ ଗତ ବିଧାନସଭା ପର୍ଯ୍ୟନ୍ତ ବିଧାୟିକା ଭାବେ ନିର୍ବାଚିତ ହୋଇ ଆସିଛନ୍ତି । ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳରୁ ସେ ବିଧାୟିକା ହୋଇଛନ୍ତି । ଖଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ନିର୍ବାଚିତ ହୋଇଛନ୍ତି ।