ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ନବୀନ ପଟ୍ଟନାୟକ, ଦ୍ୱିତୀୟରେ ଯୋଗୀ ଆଦିତ୍ୟ ନାଥ : ଇଣ୍ଡିଆ ଟୁଡେ ସର୍ଭେ

311

କନକ ବ୍ୟୁରୋ: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକୁ ପୁଣି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନମ୍ବର ୱାନ ହୋଇଛନ୍ତି । ନିର୍ବାଚନକୁ ଅଳ୍ପଦିନ ଥିବା ବେଳେ ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ମୁଡ ଅଫ ନେସନ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ନିଜ ରାଜ୍ୟରେ ସବୁଠୁ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ବିରୋଧୀ ହାୱାକୁ ବାରମ୍ବାର ମାତ ଦେଇ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ଲୋକପ୍ରିୟତା ମାମଲାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏଥର ମଧ୍ୟ ନବୀନ ପଟ୍ଟନାୟକ ପଛରେ ପକାଇ ଦେଇଛନ୍ତି । ନିକଟରେ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରେ ନବୀନ ପଟ୍ଟନାୟକଙ୍କୁ ଓଡିଶାର ୫୨ ଦଶମିକ ୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଏହି ସର୍ଭେରେ ଓଡିଶାର ୩ହଜାର ୭୬୦ ଜଣ ଲୋକଙ୍କ ମତାମତ ନିଆଯାଇଥିଲା । ତେବେ ୨୦୨୩ ତୁଳନାରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମିଛି । ୨୦୨୩ରେ ନବୀନଙ୍କୁ ୬୧ ଦଶମିକ ୩ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ୨୦୨୪ରେ ୫୨ ଦଶମିକ ୭ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀଙ୍କ କାମରେ ସନ୍ତୋଷ ପ୍ରକାଶ କରିଛନ୍ତି ।

ତାଲିକାର ଦ୍ୱିତୀୟ ସ୍ଥାନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରହିଛନ୍ତି । ତାଙ୍କୁ ଉତରପ୍ରଦେଶର ୫୧ ଦଶମିକ ୩ ପ୍ରତିଶତ ଲୋକ ପସନ୍ଦର ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି । ତୃତୀୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରହିଛନ୍ତି, ତାଙ୍କୁ ଆସମାର ୪୮ ଦଶମିକ ୬ ପ୍ରତିଶତ ଲୋକ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି । ତାଲିକାର ଚତୁର୍ଥରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପିନ୍ଦ୍ର ଭାଇ ପଟେଲ, ପଂଚମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଷଷ୍ଠରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରହିଛନ୍ତି । ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଦଶମ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।