ଆଜି ‘ବୁଲବୁଲ’ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆକାଶ ମାର୍ଗରୁ ବାତ୍ୟା ଅଂଚଳ ପରିଦର୍ଶନ କରିବେ ନବୀନ । ଲୋକସେବା ଭବନରେ କରିବେ କ୍ଷୟକ୍ଷତି ଆକଳନ

କ୍ଷତିଗ୍ରସ୍ତ ହୋଇଛି ୬ଟି ଜିଲ୍ଲା

259

କନକ ବ୍ୟୁରୋ: ଆଜି ଆକାଶମାର୍ଗରୁ ବାତ୍ୟା ବୁଲବୁଲ ପ୍ରଭାବିତ ଅଂଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଅପରାହ୍ନରେ ବାତ୍ୟା ଅଂଚଳ ଆକାଶମାର୍ଗରେ ବୁଲି ଅନୁଧ୍ୟାନ କରିବେ । ତାପରେ ସନ୍ଧ୍ୟାରେ ଲୋକସେବା ଭବନରେ ସନ୍ଧ୍ୟାରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବେ । ବୁଲବୁଲ ଯୋଗୁଁ ୮ ଓ ୯ ତାରିଖ ଦୁଇ ଦିନ ଧରି ଉପକୂଳ ଓଡିଶାର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ହୋଇଛି । ବର୍ଷା ସାଙ୍ଗକୁ ପବନ ଯୋଗୁଁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ସେହିପରି ବ୍ୟାପକ ପରିମାଣରେ ଖରିଫ ଫସଲ ନଷ୍ଟ ହୋଇଛି । ଧାନ ଅମଳ ପୂର୍ବରୁ ବର୍ଷା ଓ ପବନରେ କ୍ଷତି ହୋଇଛି । ପବନ ଯୋଗୁଁ ବହୁ ଘର ମଧ୍ୟ ହୋଇଥିବା ଅନୁମାନ କରାଯାଉଛି । ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇଛି । ବାଲେଶ୍ୱର, ଭଦ୍ରକ , ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁରର ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି । ଉପକୂଳ ଓଡିଶାରେ ବର୍ଷା ତୁଳନାରେ ପବନ ଅଧିକ ହୋଇଥିବାରୁ ଫସଲ ନଷ୍ଟ ହୋଇଛି ।

ରବିବାର ୬ଟି ବୁଲବୁଲ୍ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କ୍ଷୟକ୍ଷତିର ସମୀକ୍ଷା କରିଥିଲେ ସ୍ୱତନ୍ତ୍ର ରିଲିଫ କମିସନର । ଏଥିରେ କୁହାଯାଇଛି, ବୁଲବୁଲ ଯୋଗୁଁ ୩ ଲକ୍ଷ ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଛି । ଏଥିସହ ୫ ହଜାର ୫ଶହ ଘର କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପାଇଁ ୮ ହଜାର ୬୬୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନେ ଏବେ ଘରକୁ ଫେରିଆସିଛନ୍ତି । କ୍ଷୟକ୍ଷତି ନେଇ ସାତ ଦିନ ଭିତରେ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।