ଓଡିଆଙ୍କ ପ୍ରିୟ ପଖାଳ ବି ଓଡିଶା ଶାସନ ମୁଖ୍ୟଙ୍କ ମନ ପସନ୍ଦର ଖାଦ୍ୟ । ଓଟିଡିସି କାର୍ଯ୍ୟକ୍ରମରେ ସାମିଲହୋଇ ମୁଖ୍ୟମନ୍ତ୍ରୀ କହିଲେ, ପଖାଳ ମୋର ପସନ୍ଦ, ଓଡିଆ ଖାଦ୍ୟ ପ୍ରତି ରହିଛି ବିଶେଷ ରୁଚି । ବାହାରୁ ଆସୁଥିବା ଅତିଥୀଙ୍କୁ ବି କରେ ଆପ୍ୟାୟିତ ।

293

କନକ ବ୍ୟୁରୋ: ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ ବି ଓଡିଶାର ଶାସନ ମୁଖ୍ୟଙ୍କ ପସନ୍ଦର ବ୍ୟଞ୍ଜନ । ଓଡିଆଙ୍କ ଖାଦ୍ୟରୁଚି ସଂପର୍କରେ ସୂଚନା ଦେଇ, ପ୍ରଥମଥର ପଖାଳ ତାଙ୍କର ପ୍ରିୟ ଖାଦ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡିଆ ଖାଦ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଓଟିଡିସି ଆରମ୍ଭ କରୁଛି ସ୍ୱତନ୍ତ୍ର ଅଭିଯାନ । ଆମ ଘର ଆମ ହାଣ୍ଡିଶାଳ ନାଁରେ ଏକ ରୋଷେଇ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଆ ଖାଦ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନର କଥା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଖାଳ ହେଉଛି ତାଙ୍କର ପ୍ରଥମ ପସନ୍ଦ । ଓଡିଶାର ପର୍ବପର୍ବାଣୀ ଓ ପିଠାପଣା ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି । ଓଡିଶା ବାହାରୁ ଆସିଥିବା ଅତିଥିଙ୍କୁ ସେ ବିଶେଷ ଭାବେ ଓଡିଆ ଖାଦ୍ୟ ପରଷିଥାନ୍ତି ବୋଲି ବାର୍ତାରେ କହିଛନ୍ତି ନବୀନ ପଟ୍ଟନାୟକ ।

ସେହିପରି ୨୦୧୮ ଜାନୁଆରୀ ସମୟରେ ବି ଘଟିଥିଲା ସମାନ ଘଟଣା । ଯେତେବେଳେ ଦି ଟଲମ୍ୟାନ ବିଜୁ ପଟ୍ଟନାୟକ ପୁସ୍ତକର ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ ଜାତୀୟ ସ୍ତରର ନେତାଙ୍କୁ ପଖାଳ ସହ ଓଡିଆ ବ୍ୟଞ୍ଜନରେ ଆପ୍ୟାୟିତ କରିଥିଲେ । ରାଜ୍ୟରେ ମୁଖ୍ୟତଃ ଖରାଦିନେ ଅଧିକାଂଶ ପଖାଳ ଭାତ ଖାଉଥିବାବେଳେ ହୋଟେଲ ଓ ରେଷ୍ଟୁରାଂଟ ଗୁଡିକର ମେନ୍ୟୁରେ ମଧ୍ୟ ପଖାଳ ଭାତ ସହ ଦେଶୀ ଓଡିଆ ଖାଦ୍ୟର ତାଲିକା ରହୁଛି । ଏପରିକି ପଖାଳର ପ୍ରଚାର ପ୍ରସାର ପାଇଁ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । ତେବେ ପଖାଳକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପରେ କିଛି ଏହିଭଳି ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଲକାଡାଉନ ସମୟରେ ଅନଲାଇନ ମାଧ୍ୟମରେ ଓଟିଡିସି ପକ୍ଷରୁ ଆମ ଘର ଆମ ହାଣ୍ଡିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକ ଭାଗ ନେଇ ନିଜର ରୋଷେଇ ଦକ୍ଷତା ଦେଖାଇଛନ୍ତି । ହେଲେ ଏହି କାର୍ଯ୍ୟକ୍ରମର ପ୍ରସାରଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଓଡିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଦିଗରେ ଅଧିକ ସହାୟକ ହେବ ବୋଲି ମନେ କରାଯାଉଛି ।