ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଦେଓ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ସହ ବହୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ

95

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତକୁ ଆଖିରେ ରଖି କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ସେହିପରି ନବୀନ ପଟ୍ଟନାୟକଙ୍କ ଦିନିକିଆ ମୟୂରଭଞ୍ଜ ଗସ୍ତକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

ଆଜି କରଞ୍ଜିଆ ବ୍ଲକର ହାତୀବାରି ଠାରେ ଦେଓ ଜଳସେଚନ ଓ ରାସଗୋବିନ୍ଦପୁର ବ୍ଲକର ଟିକରପଡା ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିବେ । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ଏହାପରେ ଦିନ ୧୨ଟା ୧୫ ମିନିଟ ସମୟରେ ରାସଗୋବିନ୍ଦପୁର ଟିକରପଡାକୁ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ଶେଷ କରି ଦିନ ୧୨ଟା ୫୫ମିନିଟରେ ଭୁବନେଶ୍ୱର ଫେରି ଆସିବେ । ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତକୁ ରାଜନୈତିକ ମହଲରେ ଏହାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

ରାଷ୍ଟ୍ରପତି ନିର୍ବାଚନ ପରେ ମୟୂରଭଞ୍ଜରେ ବିଜେପି ଫାଇଦାରେ ରହିବ ବୋଲି ଚର୍ଚ୍ଚା ଚାଲିଥିଲା । ଆଦିବାସୀଙ୍କ ଭୋଟ ବ୍ୟାଙ୍କ ବିଜେପି ଆଡକୁ ଢଳିଥିବା ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବିଜେପିକୁ ଚେକମେଟ୍ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପୂର୍ଣ୍ଣ ସରକାରୀ। କୌଣସି ଦଳୀୟ କାର୍ଯ୍ୟକ୍ରମ ଏଥିରେ ଯୋଡ଼ା ଯାଇନାହିଁ । କିନ୍ତୁ ବିଜେଡି ନବୀନଙ୍କ ଗସ୍ତର ସୁଯୋଗକୁ ଭରପୂର ଉପଯୋଗ କରିବାକୁ ଅଣ୍ଟା ଭିଡ଼ିଛି। ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ମାଧ୍ୟମ କରି ବିଜେପି ଯେପରି ମୟୂରଭଞ୍ଜ ଜିଲ୍ଲାରେ ‌କୌଣସି ଫାଇଦା ନନିଏ, ସେଥି ପାଇଁ ଦଳ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି ।

ବିଜେଡିର ଛାମୁଆ ନେତାମାନେ ବାରିପଦାରେ ପହଞ୍ଚି ସବୁ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି । ନବୀନଙ୍କ ବିକାଶମୂଳକ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦ୍ରୌପଦୀ ମୁର୍ମୁଙ୍କୁ ନବୀନ କିପରି ତତ୍‌କାଳ ସହଯୋଗର ହାତ ବଢ଼ାଇଥିଲେ ତାହାକୁ ମଧ୍ୟ ପ୍ରଚାର କରାଯାଉଛି । ନବୀନଙ୍କ ଗସ୍ତ ପରେ ପରେ ଜିଲ୍ଲାରେ ଦଳର ସଂଗଠନକୁ ଆହୁରି ମଜବୁତ୍ କରିବା ପାଇଁ ଦାୟିତ୍ୱ ମଧ୍ୟ ବାଣ୍ଟି ଦିଆଯାଇଛି । ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଉଛି, ୨୦୨୪ ପର୍ଯ୍ୟନ୍ତ ସେମାନଙ୍କୁ ଦଳ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ।