୭୮ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଭଉଣୀଙ୍କ ମୃତ୍ୟୁ ଯୋଗୁଁ ଏଥର ପାଳିବେନି ଜନ୍ମଦିନ; ଶୁଭେଚ୍ଛୁଙ୍କୁ ନବୀନ ନିବାସ ନଆସିବାକୁ ଅନୁରୋଧ

447

କନକ ବ୍ୟୁରୋ : ୭୮ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏଥର ଜନ୍ମଦିନ ପାଳିବେନି ନୀବନ । ଭଉଣୀ ଗୀତା ମେହେଟାଙ୍କ ମୃତ୍ୟୁ ହୋଇଥିବା ଯୋଗୁ ଏଥର ନବୀନ ନିବାସ ନଆସିବାକୁ ଶୁଭେଚ୍ଛୁମାଙ୍କୁ ଅନୁରୋଧ କରଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଅବସରରେ ବିଜେଡି ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ଯୋଜନା ରଖିଛନ୍ତି । ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ବିଜେଡି ନେତାଙ୍କୁ କୁହାଯାଇଥିବା ଜଣାପଡିଛି । ୧୯୯୭ରେ ରାଜନୀତିରେ ପାଦ ଦେବା ପରଠୁ ସବୁ କ୍ଷେତ୍ରରେ ସଫଳତା ପାଇଛନ୍ତି ନବୀନ । ୫ ଥର ବିଜେଡି ସରକାର ଗଢିଥିବା ବେଳେ ନବୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଗାମୀ ନିର୍ବାଚନରେ ମଧ୍ୟ ବିଜେଡି ପୁଣି ସରକାର ଗଢିବ ବୋଲି ବିଭିନ୍ନ ସର୍ଭେରେ ମତ ପ୍ରକାଶ ପାଇଛି ।

୧୯୯୭ରେ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ରାଜନୀତିରେ ପା‌ଦ ଦେବା ଦିନଠାରୁ ସବୁ କ୍ଷେତ୍ରରେ ସଫଳତା ସାଉଁଟି ଚାଲିଛନ୍ତି ନବୀନ । ୨୦୦୦ ମସିହା ପର୍ଯ୍ୟନ୍ତ ଜାତୀୟ ରାଜନୀତିରେ ବେଶ୍ ସକ୍ରିୟ ଥିଲେ । ଆଉ ଏହା ପରଠାରୁ ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି । ଓଡ଼ିଶାର ଅନ୍ୟ କୌଣସି ରାଜନେତାଙ୍କ ଭାଗ୍ୟରେ ଏହା ଜୁଟିନାହିଁ । କେବଳ ସେତିକି ନୁହେଁ, ଏହି ସମୟ ମଧ୍ୟରେ ଓଡ଼ିଶାରେ ଯେଉଁ କିଛି ଉଲ୍ଲେଖନୀୟ କଥା ଘଟିଛି ତାହା ମଧ୍ୟରେ ଅନାହାରରୁ ମୁକ୍ତି ଗୋଟିଏ ବଡ଼ ​ଉପଲବ୍ଧି । ଏହି କଳଙ୍କର ଟିପାକୁ ନବୀନ ସରକାର ପୋଛିବାରେ ସକ୍ଷମ ହୋଇଛନ୍ତି । ଏହା ସହିତ ଓଡ଼ିଶା ଏବେ ଖାଦ୍ୟ ଉତ୍ପାଦନରେ ଗୋଟିଏ ବଳକା ରାଜ୍ୟ ଭାବେ ସାମ୍ନାକୁ ଆସିଛି ।

କେବଳ ସେତିକି ନୁହେଁ, ୧୯୯୯ ମହାବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ କ୍ଷମତାକୁ ଆସିଥିବା ନବୀନ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଗୌବବ ବଢ଼ାଇଛନ୍ତି । ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ସଶକ୍ତ ହେବା, ଓଡ଼ିଶାକୁ ବିଶ୍ବ କ୍ରୀଡ଼ା ହବ୍‌ରେ ପରିଣତ କରିବାର ଶ୍ରେୟ ତାଙ୍କ ମୁଣ୍ଡକୁ ଯିବ । ଏହାବ୍ୟତୀତ ଦେଶର ପିଡିଏସ୍‌ ବ୍ୟବସ୍ଥାରେ ଓଡ଼ିଶାକୁ ତୃତୀୟ ବୃହତ୍ତମ ଯୋଗଦାନକାରୀ ଭାବେ ପ୍ରସ୍ତୁତ କରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ଗୃହ ସୁରକ୍ଷା ନିଶ୍ଚିତ କରିବା, ମିସନ୍ ଶକ୍ତି ମାଧ୍ୟମରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ, କାଳିଆ ଯୋଜନା ମାଧ୍ୟମରେ କୃଷକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟକୁ ଦୁଇଗୁଣ ବଢ଼ାଇବା, ଓଡ଼ିଶାକୁ ୫-ଟି ଏବଂ ମୋ ସରକାର ମାଧ୍ୟମରେ ରୂପାନ୍ତରଣ କରିବା, ଦେଶର ଏକ ନମ୍ବର ରାଜ୍ୟ ଭାବେ ଜଙ୍ଗଲ ଅଧିକାର ଆଇନ୍ ଅଧୀନରେ ଆଦିବାସୀମାନଙ୍କୁ ଜମି ଅଧିକାର ପ୍ରଦାନ, ୫ଲକ୍ଷରୁ ଅଧିକ ଆଦିବାସୀ ବାଳିକାଙ୍କୁ ସଶକ୍ତ କରିବା ପାଇଁ ଆଦିବାସୀ ହଷ୍ଟେଲର ବ୍ୟବସ୍ଥା, ବିଜୁ ପକ୍କାଘର ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା, ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳର ବାସହରାଙ୍କୁ ଜାଗା ମିସନ୍‌ ଜରିଆରେ ଜମି ଅଧିକାର ପ୍ରଦାନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ଚିକିତ୍ସା ଯୋଗାଇବା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରାଞ୍ଚଳରେ ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଇବା ଆଦି କ୍ଷେତ୍ରରେ ତାଙ୍କ ସରକାର ସଫଳ । ସେହିଭଳି ଗୋଟିଏ ଆଞ୍ଚଳିକ ଦଳ ହିସାବରେ ଏତେ ବର୍ଷ କ୍ଷମତା ରାଜନୀତିରେ ତିଷ୍ଠି ରହିବାରେ ତାଙ୍କ ଦଳ ବିଜେଡି ପ୍ରଥମ ।