ଆକାଶମାର୍ଗରୁ ବାତ୍ୟା କ୍ଷତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ : ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ କରିବେ ଏରିୟଲ ସର୍ଭେ

171

କନକ ବ୍ୟୁରୋ : ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ସାଢେ ୧୨ଟେରା ଏରିଏଲ ଭ୍ୟୁ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଂଚଳରେ ପ୍ରାୟ ୧ ଘଂଟା ଅନୁଧ୍ୟାନ କରିବେ । ଏନେଇ ଚିଠିଲେଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର । ଏପରିକି ବାତ୍ୟା କ୍ଷୟକ୍ଷତି ଆକଳନ ପରେ ସଂଧ୍ୟାରେ କିଛି ପ୍ୟାକେଜ ଘୋଷଣା ହୋଇପାରେ ।

ଏହା ପୂର୍ବରୁ ଗତକାଲି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ପ୍ରଭାବିତ ୧୨୮ଟି ଗାଁର ସମସ୍ତ ପରିବାରକୁ ୭ ଦିନ ରିଲିଫ୍ ଦିଆଯିବ ବୋଲି ଘୋଷଣା କରିଥିଲେ । ସେହିପରି ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ପ୍ରମୁଖ ରାସ୍ତାଗୁଡିକୁ ୨୪ ଘଂଟା ମଧ୍ୟରେ ମରାମତି କରାଯିବ । ଏବଂ ପ୍ରଭାବିତ ଜିଲ୍ଲାରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିଯିବ । ଖୁବ କମ ସମୟ ମଧ୍ୟରେ ତଳିଆ ଅଂଚଳରୁ ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ପଂଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ବାତ୍ୟା ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇଥିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନବୀନ ଧନ୍ୟବାଦ ଜଣାଇଥିଲେ ।