ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମେ ୨୪ରୁ ଘରକୁ ଘର ବୁଲି ହେବ ସର୍ଭେ । ସରପଞ୍ଚଙ୍କୁ ପୁଣି ମିଳିଲା ଜିଲ୍ଲାପାଳ କ୍ଷମତା ।

1,548

କନକ ବ୍ୟୁରୋ: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ । ଆମ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେମାନଙ୍କର ଉଚ୍ଚପ୍ରଶଂସା କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷଣ ନଜର ରଖିବା ସହ ସେମାନଙ୍କ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି ।

ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ଆଇସିୟୁ-ଏଚଡିୟୁ ଶଯ୍ୟାରେ ବୃଦ୍ଧି କରାଯାଇଛି । ପ୍ରତି ଜିଲ୍ଲାରେ ଅକ୍‌ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିଜ ରାଜ୍ୟର ଚାହିଦା ପୂରଣ ସହିତ ଆଜି ଓଡିଶା ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍‌ସିଜେନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି । ଏହା ଓଡିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା। ରାଜ୍ୟରେ ଅକ୍ସିଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଏକ ଟାକ୍ସଫୋର୍ସ ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଲଢେଇରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ସବୁଠାରୁ ଗୁରୁ ଦାୟିତ୍ବ ଥିବାରୁ ଏ କ୍ଷେତ୍ରରେ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି ଏବଂ ୭୮୬ ଡାକ୍ତର ଓ ୫୧୩୭ ପାରାମେଡିକାଲ ଷ୍ଟାଫଙ୍କୁ ଇତି ମଧ୍ୟରେ ନିଯୁକ୍ତି ଦିଆଯାଇଛି । ଏହାସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

କୋଭିଡ ପରିଚାଳନାରେ ଗୋଷ୍ଠୀକୁ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆରମ୍ଭରୁ ହିଁ ଗ୍ରାମ ପଞ୍ଚାୟତ ଓ ଗାଁ କଲ୍ୟାଣ ସମିତି ଏଥିରେ ସାମିଲ ଅଛନ୍ତି । ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଏନଏମ, ଆଶା, ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ କୋଭିଡ ପରିଚାଳନା କାମ ଜାରି ରହିଛି ବୋଲି ସେ କହିଥିଲେ । ଆସନ୍ତା ମଇ ୨୪ ତାରିଖରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନଏମ ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ପ୍ରତି ଗାଁରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ୟ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ସେହିପରି ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇ ସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନ କାର୍ୟ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଗାଁରେ ଟିଏମସି ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ । ଗତବର୍ଷ ତୁଳନାରେ ଏ ବର୍ଷ ଅନ୍ୟ ରାଜ୍ୟକୁ ଫେରୁଥିବା ଲୋକଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ସରକାର ଜୋନାଲ ଟିଏମସି ଆରମ୍ଭ କରି ସାରିଛନ୍ତି।

କୋଭିଡ ଯୋଗୁ ଅନେକ ପରିବାରର ଆତ୍ମୀୟସ୍ବଜନଙ୍କ ଅସମୟରେ ବିୟୋଗ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ଏହି ଦୁଃଖ ସମୟରେ ସରକାର ସେମାନଙ୍କ ସହିତ ରହିଛନ୍ତି ବୋଲି ସାହସ ଦେଇ ଥିଲେ । କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା ଙ୍କୁ ହରାଇ ଥିବା ପିଲା ମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ୟ୍ୟ ବିଶେଷତଃ, ମିଶନ ଶକ୍ତି ଗ୍ରୁପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଅତୀତରେ ଓଡିଶା ଅନେକ ଆହ୍ବାନକୁ ଦୃଢତାର ସହ ମୁକାବିଲା କରିଛି ଏବଂ ସମସ୍ତଙ୍କ ସହଯୋଗରେ କୋଭିଡ ଲଢେଇରେ ମଧ୍ୟ ଓଡିଶା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।