ଏନଆରସି : ନବୀନଙ୍କ ଗୋଟିଏ ତୀରରେ ଏକାଧିକ ଶିକାର । କେନ୍ଦ୍ରକୁ କଡା ବାର୍ତ୍ତା ପଛରେ କଣ ରହିଛି ଚିତ୍ର?
ଯେଉଁ ବୟାନ ଭୁବନେଶ୍ୱରରେ ରଖାଯାଇଛି, ତାର ସୁଦୁର ପ୍ରସାରୀ ପ୍ରଭାବ ରହିଛି । ଗୋଟିଏ ଗୁଳିରେ ଏକାଧୀକ ଲକ୍ଷ୍ୟ ହାସଲ କରିନେଇଛନ୍ତି ନବୀନ । ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କ ମନରେ ଯେଉଁ ଧାରଣା ସୃଷ୍ଟି ହୋଇଥିଲା ତାକୁ ଦୂର କରିବା ସହ କେନ୍ଦ୍ରକୁ ସ୍ପଷ୍ଟ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି ।
ରାଜ୍ୟରେ ଏନଆରସି ଲାଗୁ ହେବନାହିଁ । ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଗୋଟିଏ ପଦ ବା ବୟାନ ବଡ ରାଜନୈତିକ ବିବାଦକୁ ସାମ୍ନାକୁ ଆଣିଛି । ୨୦୧୯ ନିର୍ବାଚନ ପରଠାରୁ ବିଜେପି ସହ ପ୍ରାୟ ସବୁ ପ୍ରସଙ୍ଗରେ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିବା ବିଜୁ ଜନତା ଦଳ ପ୍ରଥମ ଥର ପାଇଁ ବିଜେପିର ଆଭିମୁଖ୍ୟ ବାହାରେ ନିଜର ମତ ରଖିଛି । ଯାହା ଦର୍ଶାଉଛି, ଗତ କିଛି ଦିନ ଭିତରେ ରାଜ୍ୟରେ ଯେଉଁ ସଂଖ୍ୟାଲଘୁ ସଂପ୍ରଦାୟର ଆନ୍ଦୋଳନ ଚାଲିଥିଲା, ତାହା ବିଜେଡି ପାଇଁ ତଥା ଦଳର ଧର୍ମନିରପେକ୍ଷ ଚେହେରା ଉପରକୁ ଆଂଚ ଆଣୁଥିବାରୁ ଏଭଳି ଆଭିମୁଖ୍ୟ ଜରୁରୀ ଥିବା ଅନୁଭବ କରି ନବୀନ ଏଭଳି ବୟାନ ଦେଇଥିବା ଅନୁମାନ କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଝାଡଖଣ୍ଡରେ ନିର୍ବାଚନ ପ୍ରଚାର ବେଳେ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ, ସାରା ଦେଶରେ ୨୦୨୪ ସୁଦ୍ଧା ଏନଆରସି ଲାଗୁ କରାଯିବ । କେନ୍ଦ୍ର ସରକାର ଏହି ଆଭିମୁଖ୍ୟ ସହ ଆଗକୁ ବଢୁଥିବା ବେଳେ ବିଭିନ୍ନ ରାଜ୍ୟରେ ଏହାକୁ ଜୋରଦାର ବିରୋଧ କରାଯାଉଛି । ଏବେ ବିରୋଧ କରୁଥିବା ରାଜ୍ୟ ତାଲିକାରେ ସାମିଲ ହୋଇଛି ଓଡିଶା ।
ନାଗରିକତା ସଂଶୋଧନ ଆଇନରେ ବିଜେଡିର ସହଭାଗୀତା ପରେ ରାଜ୍ୟରେ ଏକ ବଡ ଧରଣର ଚର୍ଚ୍ଚା ଆରମ୍ଭ ହୋଇଥିଲା । ବିଜେଡି କେଉଁଭଳି ଏହି ବିଲକୁ ସମର୍ଥନ କଲା, ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟ । ଏପରିକି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଗତ ୨ ଦଶନ୍ଧି ଧରି ବିଜେଡି ନିଜକୁ ଧର୍ମ ନିରପେକ୍ଷ ଦଳ ଭାବେ ଉପସ୍ଥାପନ କରିଆସୁଥିବା ବେଳେ ହଠାତ୍ ବିଜେପି ସହ ଏକ ଧର୍ମୀୟ ପ୍ରସଙ୍ଗରେ ଯୋଡି ହେବାକୁ ବୁଦ୍ଧିଜୀବି ମହଲ ଠିକ ଭାବେ ଗ୍ରହଣ କରିନଥିଲା । ଅନେକ ପ୍ରଶ୍ନ ଉଠିଥିଲା, ହେଲେ ଏହାର ସଠିକ ଉତ୍ତର କିନ୍ତୁ ମିଳିନଥିଲା ।
ନବୀନ ଯେଉଁ ବୟାନ ରଖିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ କେନ୍ଦ୍ର ସହ ରାଜ୍ୟ ସବୁ କଥାରେ ଏକମତ ନୁହେଁ । ବା କେନ୍ଦ୍ରର ସମସ୍ତ ବିଲରେ ବିଜେଡି ହଁ ଭରୁଥିବା ନେଇ ଯେଉଁ ଧାରଣ ଧୀରେ ଧୀରେ ସୃଷ୍ଟି ହୋଇଥିଲା, ତାହା ଏବେ ଦୂର ହୋଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ସାରା ଦେଶରେ ଏନଆରସି ଲାଗୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତି, ତେବେ ନବୀନ କଣ କେନ୍ଦ୍ର ବିରୋଧରେ ଯିବେ କି? ମମତା ବାନାର୍ଜୀଙ୍କ ରାସ୍ତାରେ ଯାଇ ନବୀନ ଖୋଲା ବିଦ୍ରୋହ କରିବେ କି?
ଭୁବନେଶ୍ୱର ଆଉ କଟକରେ ରାସ୍ତାକୁ ଓହ୍ଲାଇ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ଯେଉଁଭଳି ଆନ୍ଦୋଳନ କରୁଥିଲେ, ତାହା ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଥିଲା । କାରଣ, ରାଜ୍ୟରେ ଧର୍ମକୁ ନେଇ ଆନ୍ଦୋଳନ ବା ରାଜନୀତିର ନଜିର ଖୁବ କମ । ବା ଧର୍ମ ଆଧାରରେ ଭୋଟ ମଧ୍ୟ ପଡିନଥାଏ । ହେଲେ ନାଗରିକତା ସଂଶୋଧନ ଆଇନ ଏହାର ମଂଜି ପୋତୁଥିବା ନେଇ ରାଜନୈତିକ ମହଲ ଅନୁମାନ କରୁଥିଲା । ଆଉ ଏଥିରେ ରୋକ ଲାଗିବା ନିହାତି ଜରୁରୀ ଥିଲା । ଆଉ ରାଜନୈତିକ ସ୍ଥିତି ବେଶ ଭଲ ଭାବରେ ପଢିପାରୁଥିବା ନବୀନ ଠିକ ସମୟରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ସମସ୍ତ ଚର୍ଚ୍ଚାର ଅବସାନ ଘଟାଇଛନ୍ତି ।
ନବୀନଙ୍କ ଏହି ଘୋଷଣା କିନ୍ତୁ ବିଜେପି-ବିଜେଡି ସଂପର୍କରେ ଏକ ଫାଟ ତିଆରି କରିଛି, ଯାହାକୁ ନେଇ ଅନେକ କଳ୍ପନା ଜଳ୍ପନା ମଧ୍ୟ ଆରମ୍ଭ ହେଲାଣି । ଅନେକ ବିବାଦୀୟ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କୁ ଆଖିବୁଜା ସମର୍ଥନ ଦେଇଥିଲା । ଧାରା ୩୭୦ କଥା କୁହାଯାଉ ଅବା ଟ୍ରିପଲ ତଲାକ କିମ୍ବା ଆରଟିଆଇ ଆଇନରେ ସଂଶୋଧନ, ସବୁଥିରେ ବିଜେଡି ବିଜେପି ଏକାଠି ଆଗକୁ ବଢୁଥିଲେ । ସ୍ଥିତି ତ ଏମିତି ହୋଇଥିଲା ଯେ ନିଜ ହାତରେ ସଂଖ୍ୟା ଥାଇ ମଧ୍ୟ ବିଜେପି ହାତକୁ ଗୋଟିଏ ରାଜ୍ୟସଭା ଆସନ ଟେକିଦେଇଥିଲା ବିଜେଡି । ଯାହା ଉଭୟ ଦଳ ଭିତରେ ବଢୁଥିବା ସଂପର୍କକୁ ଦର୍ଶାଉଥିଲା । ଆଉ ଏବେ ନବୀନ ଏଥିରେ ଲକ୍ଷ୍ମଣରେଖା ଟାଣିବାକୁ ଚେଷ୍ଟା କରିଛନ୍ତି ।
କିନ୍ତୁ ନବୀନଙ୍କ ଆଭିମୁଖ୍ୟ ଭିତରେ ଯେଉଁ ଦିଗଟି ଉହ୍ୟ ରହିଛି, ତାହା ହେଲା ବିଧାନ ପରିଷଦ ବିଲ । କୁହାଯାଉଛି, ଶୀତକାଳୀନ ଅଧିବେଶ ଆରମ୍ଭ ପୂର୍ବରୁ ବିଜେଡିର ଦାବି ଥିଲା ବିଧାନ ପରିଷଦ ବିଲ ସଂସଦରେ ପାରିତ ହେଉ । ଏପରିକି ଏନେଇ ବାରମ୍ବାର ବିଜେପି ଅଧ୍ୟକ୍ଷଙ୍କୁ ଭେଟି ଦାବି ରଖିଥିଲେ ବିଜେଡି ସାଂସଦ । ହେଲେ ଶୀତ ଅଧିବେଶନ ସିନା ସରିଗଲା, କିନ୍ତୁ ବିଲ ପାରିତ ହୋଇପାରିଲା ନାହିଁ । ତେଣୁ ବିଜେଡି ପାଇଁ ଏହା ଶକ୍ତ ଧକ୍କା ବୋଲି ପାୱାର କରିଡରରେ ଚର୍ଚ୍ଚା ହେଲା ।
ଗତ ୭ ମାସ ଭିତରେ ଅର୍ଥାତ୍ ନିର୍ବାଚନ ପରଠାରୁ ଏଯାବତ୍ ଯଦି ହିସାବ କରାଯାଏ, ତେବେ ବିଜେଡି ଠାରୁ ବିଜେପି ପାଇଛି ଅଧିକ କିନ୍ତୁ ଦେଇଛି କମ । ଅର୍ଥାତ ସଂଘୀୟ ଗଣତନ୍ତ୍ରରେ କେନ୍ଦ୍ର ଓ ରାଜ୍ୟର ସହଭାଗୀତାରେ ଯେଉଁ ବିକାଶର କଥା କୁହାଯାଉଥିଲା, ତାହା ପଛରେ ଏକ ବଡ ଧରଣର ସ୍ୱାର୍ଥ କେନ୍ଦ୍ରିକ ରାଜନୀତି ରହିଛି, ଏହା ଧୀରେ ଧୀରେ ସ୍ପଷ୍ଟ ହେଉଛି । ସମସ୍ତ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେଡିର ସମର୍ଥନ ପାଇ ବିଲ ପାଶ କରାଉଥିବା ବିଜେପିକୁ ଚେକ ଦେବାପାଇଁ ଏଭଳି ଆଭିମୁଖ୍ୟ ବିଜେଡି ଗ୍ରହଣ କରିଥାଇପାରେ ବୋଲି ଚର୍ଚ୍ଚା କରାଯାଉଛି । ଅର୍ଥାତ୍ ସ୍ପଷ୍ଟ ଭାବରେ କହିବାକୁ ଗଲେ, ଆଗକୁ ଯଦି ସମର୍ଥନ ଦରକାର ତେବେ ବିଧାନ ପରିଷଦ ବିଲ ପାଶ କରାଅ । ଏଭଳି କଡା ବାର୍ତ୍ତା ଆଜି ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।
ଏହାରି ଭିତରେ ନବୀନ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । କେନ୍ଦ୍ର ଠାରେ ପଡିରହିଥିବା ପ୍ରସଙ୍ଗ ଗୁଡିକୁ ନେଇ ତର୍ଜମା କରିବେ । କୁହାଯାଉଛି, ଏତିକିବେଳେ ଏନଆରସି ସହ ତଉଲା ଯିବ ବିଧାନ ପରିଷଦ ପ୍ରସଙ୍ଗକୁ । ଆଉ ବଜେଟ ଅଧିବେଶନ ଯାହା ଆଉ ଠିକ ଦେଢ ମାସ ପରେ ଆସୁଛି, ସେତିକିବେଳକୁ ଏହାକୁ ପାରିତ କରାଇବା ପାଇଁ ଲବି କରିବେ ଦଳୀୟ ସାଂସଦ । ଯଦି ଏଥିରେ ବି କୈାଣସି ସୁଫଳ ନମିଳେ, ତେବେ ବ୍ରହାସ୍ତ୍ର ହୋଇ ସାମ୍ନାକୁ ଆସିପାରେ ରାଜ୍ୟସଭା ନିର୍ବାଚନ । କୁହାଯାଉଛି, ଯେଉଁଠି ଆଉ ବୁଝାମଣା କରିବା ମୁଡରେ ହୁଏତ ବିଜେଡି ନଥିବ, ଏଠି ଆଗ ଦାବି ପୂରଣ ଉପରେ ଜୋର ଦେବ ଦଳ । ଅର୍ଥାତ୍, ଅଶ୍ୱିନୀ ବୈଷ୍ଣବ ଫର୍ମୁଲାକୁ ଆଉ ସହଜରେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିବ ବିଜେଡି ।
ଯେଉଁ ବୟାନ ଆଜି ଭୁବନେଶ୍ୱରରେ ରଖାଯାଇଛି, ତାର ସୁଦୁର ପ୍ରସାରୀ ପ୍ରଭାବ ରହିଛି । ଗୋଟିଏ ଗୁଳିରେ ଏକାଧୀକ ଲକ୍ଷ୍ୟ ହାସଲ କରିନେଇଛନ୍ତି ନବୀନ । ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କ ମନରେ ଯେଉଁ ଧାରଣା ସୃଷ୍ଟି ହୋଇଥିଲା ତାକୁ ଦୂର କରିବା ସହ କେନ୍ଦ୍ରକୁ ସ୍ପଷ୍ଟ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି । ଖାଲି ଏତିକି ନୁହେଁ, ରାଜନୈତିକ ଆକାଶରେ ଯେଉଁ ଧୁଆଁଳିଆ ଚିତ୍ରକୁ ନେଇ ସମୀକ୍ଷା କରାଯାଉଥିଲା ତାକୁ ସ୍ପଷ୍ଟ କରି ଦାବି ହାସଲ ପାଇଁ ମୁଳଦୁଆ ମଧ୍ୟ ପକାଇ ପାରିଛନ୍ତି ।