ଓରିଲୋରେ ମେଗା ଓମଫେଡ ଡାଏରୀ ପ୍ଲାଣ୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ୬ ଲକ୍ଷ ଦୁଗ୍ଧ ଚାଷୀ ହେବେ ଉପକୃତ

ବିଜେପି କର୍ମୀଙ୍କ ବିରୋଧ ପ୍ରଦର୍ଶନ

182

କନକ ବ୍ୟୁରୋ : କଟକ ଓରିଲୋଠାରେ ଅତ୍ୟାଧୁନିକ ଓମଫେଡ଼ ଡ଼ାଏରୀ ପ୍ଲାଣ୍ଟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଡ଼ାଏରୀ ପ୍ଲାଣ୍ଟ ଲୋକାର୍ପିତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏମଫେଡ଼ର ବିକାଶରେ ୩ଲକ୍ଷ ଚାଷୀଙ୍କର ଅବଦାନ ରହିଛି । ଏହି ୟୁନିଟ ଦ୍ୱାରା ଦିନକୁ ୫ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ ହୋଇପାରିବ । ଏଥିରୁ ଉନ୍ନତମାନର ଲସି, ଘିଅ, ପନିର ଆଦି ଉତ୍ପାଦନ ହୋଇପାରିବ ।

 

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଓମ୍‌ଫେଡ୍‌ ହେଉଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ମାନଙ୍କର ନିଜ ଅନୁଷ୍ଠାନ । ଏହାର ବିକାଶରେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କର ଅବଦାନ ରହିଛି  । ଓମ୍‌ଫେଡ୍‌ ମଧ୍ୟ ସବୁବେଳେ ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିଆସୁଛି ।  ଆଜିର ଏହି ନୂଆ ପ୍ଲାଣ୍ଟ ଉଦଘାଟନ ଦ୍ବାରା ଚାଷୀ ମାନଙ୍କର ରୋଜଗାର ବଢିବ ଓ ପ୍ରାୟ ୬ ଲକ୍ଷ ଚାଷୀ ଉପକାର ପାଇବେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଆମର ସବୁ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ହେଉଛି ଚାଷୀ ଭାଇର ରୋଜଗାର ବଢାଇବା । ଏଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟରେ ଡାଇରୀ ଫାର୍ମ ଓ ପ୍ରୋସେସିଂ ୟୁନିଟ୍ ପ୍ରତିଷ୍ଠା ପାଇଁ ଯେପରି ଯୁବ ସମାଜ ଆଗେଇ ଆସିବେ ସେଥିପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି । ତେଣୁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମର ସୁଯୋଗ ନେଇ ରାଜ୍ୟର ବିକାଶରେ ଭାଗୀଦାର ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ ।

ପୁଷ୍ଟି ନିରାପତ୍ତାରେ ଦୁଗ୍ଧର ଗୁରୁତ୍ବ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆହ୍ବାନ ଜଣାଇଥିଲେ ଏବଂ ଶ୍ବେତ ବିପ୍ଳବ ଆଣିବା ପାଇଁ ସରକାରଙ୍କ ଉଦ୍ୟମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟରେ ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ ଗତ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଓମ୍‌ଫେଡ୍‌ ଦ୍ବାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମ୍‌ଫେଡ୍‌ର ୪୦୫ ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ ସାହୁ ରାଜ୍ୟରେ କୃଷି ଓ ଆନୁସଙ୍ଗୀକ କୃଷିର ବିକାଶ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସଂଗୃହିତ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତ ମୂଲ୍ୟ ପାଇବା ହେତୁ ଦୁଗ୍ଧ ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଙ୍କି ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା, NDDBର ଅଧ୍ୟକ୍ଷ ଓ ବିଭାଗୀୟ ଶାସନ ସଚୀବ ପ୍ରମୁଖ ଯୋଗ ଦେଇଥିଲେ ।