କରୋନା ଯୋଦ୍ଧାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ । ସୁରକ୍ଷା ସଂପର୍କୀତ ପ୍ରୋଟୋକଲ ନେଇ ନବୀନ କଲେ ଆଲୋଚନା : କୋଭିଡ୍ ଚିକିତ୍ସା ବେଳେ ସୁରକ୍ଷା ଅବଲମ୍ବନ କରବାକୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଲେ ଟିପ୍ସ

968

କନକ ବ୍ୟୁରୋ : କରୋନା ଭାଇରସ ମୁକାବିଲା ପାଇଁ ଆଗାମୀ କିଛିି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ଆଗକୁ  ମୌସୁମୀ ଆସିବାକୁ ଥିବାରୁ ଲୋକମାନଙ୍କ ମଧ୍ୟରେ ଅନ୍ୟ ପ୍ରକାରର ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନ ମାଧ୍ୟମରେ ଘରକୁ ଘର ବୁଲି  କରୋନାଭାଇରସ ସମେତ ଅନ୍ୟାନ୍ୟ ରୋଗ ଯଥା ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ଆଦି ରୋଗ ସଂପର୍କରେ ଯାଞ୍ଚ କରିବାକୁ ହେବ ।

ଗତ କିଛି ଦିନ ଧରି ସ୍ୱାସ୍ଥ୍ୟକର୍ମୀମାନେ କରୋନା ଆକ୍ରାନ୍ତ ହେଉଥିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା କରୋନା ସଂକ୍ରମଣ ନିରୋଧୀ ସୁରକ୍ଷା ଗାଇଡଲାଇନର ଉଲ୍ଲଙ୍ଘନକୁ ଦର୍ଶାଉଛି । ଏଣୁ ସ୍ୱାସ୍ଥ୍ୟକର୍ମୀମାନେ ପ୍ରଥମେ ନିଜର ଓ ନିଜ ଟିମର ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଲୋକମାନଙ୍କ ମଧ୍ୟରେ ଉଦାହରଣ ସୃଷ୍ଟି କରନ୍ତୁ ।  ସେମାନେ ପ୍ରୋଟୋକଲକୁ କଡ଼ାକଡ଼ିଭାବେ ପାଳନ କରି ସଂକ୍ରମଣକୁ  ବ୍ୟାପିବାକୁ ରୋକିବାକୁ ହେବ । ଏହା ଦ୍ୱାରା ହିଁ ବର୍ତ୍ତମାନର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.