କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମ ପରିସରରେ ଟେନିସ ସେଣ୍ଟର ଉଦଘାଟନ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏଥିସହିତ ଉକ୍ତ ଏସୀୟ ପ୍ରତିଯୋଗିତାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହି ଟେନିସ୍ ସେଣ୍ଟରକୁ ଆନ୍ତର୍ଜାତିକ ଟେନିସ୍‌ ମହାସଂଘ ସ୍ବୀକୃତି ପ୍ରଦାନ କରିଛି । ଏହାମଧ୍ୟରେ ସିନ୍ଥେଟିକ୍‌ କୋର୍ଟ ସହିତ ୧୪୦୦ ଦର୍ଶକ ବସିବା ଭଳି ବ୍ୟବସ୍ଥା ରହିଛି ।

Advertisment

ଏଥିସହିତ ଜିମ୍ନାସିୟମ୍‌, ଖେଳାଳିଙ୍କ ଚେଞ୍ଜିଂ ରୁମ୍‌, ଅଡିଟୋରିୟମ, ଅତିଥିଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ, ମିଡିଆ ରୁମ୍‌, ବ୍ରଡକାଷ୍ଟ ଓ ପ୍ରଶାସନିକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ଏହି କେନ୍ଦ୍ର ଭିତରେ ରହିଛି। ଟେନିସ୍‌ କମ୍ପ୍ଲେକ୍ସ ପରିସରରେ ୮ଟି ସିନ୍ଥେଟିକ୍‌ କୋର୍ଟ ରହିଛି। ସମସ୍ତ କୋର୍ଟ ଆନ୍ତର୍ଜାତିକ ମାନର ହୋଇଥିଲା ବେଳେ ଏଠାରେ ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ ଓ ଏସୀୟ ଟେନିସ୍‌ ମହାସଂଘର ମ୍ୟାଚ୍‌ଗୁଡ଼ିକ ଆୟୋଜନ ହୋଇପାରିବ। ଟେନିସ୍‌ ସେଣ୍ଟରକୁ ନିର୍ମାଣ କରିବା ପାଇଁ ସରକାର ୨୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଦିଆଯାଇଛି।

ଟେନିସ୍‌ ସେଣ୍ଟର ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଟେନିସ୍‌ ସଂଘ ଓ ରାଜ୍ୟ କ୍ରୀଡ଼ା ବିଭାଗର ସହଭାଗିତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଏହାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳିଙ୍ଗ ଷ୍ଟାଡିୟମ୍‌ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଟେନିସ୍‌‌ ସେଣ୍ଟର ଯୋଡ଼ି ହେବା ଦ୍ବାରା ରାଜ୍ୟର ଟେନିସ୍‌ ଖେଳାଳିଙ୍କୁ ଉନ୍ନତମାନର ‌ଖେଳ ପରିବେଶ ଉପଲବ୍ଧ ହେବ । ଏଠାରେ ଅଭ୍ୟାସ କରି ଓଡ଼ିଶାର ଖେଳାଳିମାନେ ଜାତୀୟ ଓ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଭଲ ପ୍ରଦର୍ଶନ କରିପାରିବେ । ଏପରିକି ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯାଇ ପଦକଧାରୀଙ୍କୁ ସୃଷ୍ଟି କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଓଡିଶା ଟେନିସ ଆସୋସିଏସନ୍ ଆସନ୍ତା ୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫ ୧୪ବର୍ଷରୁ କମ ଏସିଆ ଟେନିସ ଡେଭଲପେମେଣ୍ଟ ଚମ୍ପିୟନସିପ ଫାଇନାଲସ ଖେଳାଯିବ । ଏହି ପ୍ରତିଯୋଗିତାରେ ୧୫ ଟି ଦେଶର ଖେଳାଳି ଭାଗ ନେବେ ।