ରାଜ୍ୟରେ ନୂଆକରି ଗଢ଼ି ଉଠିବ ୪ ହଜାର ନୂଆ ଗ୍ରାମ : ଗାଁ ବଢ଼ିଲେ ବଢ଼ିପାରେ ପଂଚାୟତର ସଂଖ୍ୟା

261

ରାଜ୍ୟରେ ଆହୁରି ୪ ହଜାର ନୁଆ ଗାଁ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ନୁଆ ଗାଇଡଲାଇନ୍ ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ଜିଲ୍ଲାସ୍ତରରେ ୩୫୦୦ ନୁଆ ପ୍ରସ୍ତାବ୍ ବିଚାରାଧୀନ ରହିଛି, ଯାହା ଉପରେ କୈାଣସି ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନାହିଁ । ଏହି ଚିଠି ଫଳରେ ପଂଚାୟତ ନିର୍ବାଚନ ଆଗରୁ ରାଜ୍ୟରେ ନୁଆ ରାଜସ୍ୱ ଗ୍ରାମ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ଅନେକ ମାପଦଣ୍ଡ ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ମୁଳ ରାଜସ୍ୱ ଗ୍ରାମଠାରୁ ଅଧ କିମି ଦୁରରେ ଥିବା ପଡା ଗୁଡିକୁ ଗାଁରେ ପରିଣତ କରାଯିବ ।

ଅଧ କିମି ଦୂରରେ ଥିବା ତଥା ପଡାରେ ଅତିକମରେ ୨୫୦ ଲୋକ ବସବାସ କରୁଥିଲେ ତାକୁ ଗାଁର ମାନ୍ୟତା ଦିଆଯିବ । ଅନ୍ୟପଟେ କୈାଣସି ପଡା ଅଧ କିମି ଦୁରରେ ନଥିଲେ ବି ୩ ଶହ ବସବାସ କରୁଥିଲେ ତାକୁ ମଧ୍ୟ ଗାଁରେ ପରିଣତ କରାଯାଇ ପାରିବ । ୨୫୦ରୁ କମ ଲୋକ ରହୁଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ମୁଳ ଗାଁରୁ ଅଲଗା ଥିଲେ ଗାଁର ମାନ୍ୟତା ମିଳିବ । ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଉଥିବା କୁହାଯାଇଛି । ବଡ କଥା ହେଉଛି ଯେଉଁ ପଡା ଗୁଡିକ ଗାଁର ମାନ୍ୟତା ପାଇବେ ଏବଂ ମୁଳ ଗାଁ ଗୁଡିକ ମଧ୍ୟରେ ଯାହା ସାଧାରଣ ଗୋଚର ଏବଂ କମ୍ୟୁନାଲ ଲ୍ୟାଣ୍ଡ ଥିବ ତାକୁ ଉଭୟ ପକ୍ଷ ବ୍ୟବହାର କରିପାରିବେ ।

ଏଥିରେ କୌଣସି ବ୍ୟତିକ୍ରମ ଆସିବ ନାହିଁ । ଏହା କମନ୍ ପ୍ରପର୍ଟି ଭାବେ ବ୍ୟବହାର ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏବେ ରାଜ୍ୟରେ ସେଟେଲମେଂଟ ଏବଂ କନସୋଲିଡେସନ୍ କାର୍ଯ୍ୟ ବନ୍ଦ ରହିଥିବାରୁ ଗାଁ ଗୁଡିକର ଗଠନ ପ୍ରସ୍ତାବ ସଂପୁର୍ଣ୍ଣ ଭାବେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି । ପଂଚାୟତ ନିର୍ବାଚନ ଆଗରୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ଗାଁର ସଂଖ୍ୟା ବଢିବା ସହ ପଂଚାୟତ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଅନୁମାନ କରାଯାଉଛି ।