କନକ ବ୍ୟୁରୋ : ରାଜ୍ୟରେ ଆଳୁ ଦର ଅଣାୟତ୍ତ ହୋଇ ପଡିଥିବା ବେଳେ ଦିଲ୍ଲୀରେ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ମୋହନ ମାଝୀ। ଏ ନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୀମାରୁ ଆଳୁ ଟ୍ରକ ପଶ୍ଚିମବଙ୍ଗ ପ୍ରଶାସନ ଫେରାଇ ନେଇଥିବା ବେଳେ ରାଜ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସୋସିଆଲ୍ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି, ଆଳୁ ଯୋଗାଣ ନେଇ ସେ ମମତାଙ୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗରୁ ରାଜ୍ୟକୁ ଆଳୁ ଆସିବା ପ୍ରକ୍ରିୟା ସ୍ୱାଭାବିକ ହୋଇଛି। ଆଳୁର ଦର ନିୟନ୍ତ୍ରଣ ଏବଂ ଯୋଗାଣ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଓଡ଼ିଶାରେ ପ୍ରବେଶ ପାଇଁ ପଶ୍ଚିମବଙ୍ଗ ପ୍ରଶାସନ ଅନୁମତି ଦେଇନାହିଁ। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଟ୍ରକକୁ ଜଗି ରହିଛି ପୁଲିସ। ପ୍ରଶାସନିକ ସ୍ତରରେ କୌଣସି ନିଷ୍ପତି ହୋଇନଥିବା ବେଳେ ଲୁଚାଛପା ଭାବେ ଆଳୁ ବୋଝେଇ କିଛି ଟ୍ରକ ଓଡ଼ିଶାରେ ଆସି ପହଂଚିଛି। ଆଳୁ ବୋଝେଇ ଟ୍ରକକୁ ପଶ୍ଚିମବଙ୍ଗରୁ ଛାଡ଼ିବା ପାଇଁ ସୀମାରେ ଜଗିରହିଥିବା ପୁଲିସ ଟ୍ରକ ଛାଡ଼ିବା ପାଇଁ ଗୋଟିଏ ଟ୍ରକ ପିଛା ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା କହିଛନ୍ତି ଟ୍ରକ ଡ୍ରାଇଭର। ଯାହାର ସିଧା ପ୍ରଭାବ ପଡିଛି ବଜାର ଦର ଉପରେ।

ଲକ୍ଷ୍ମଣ ନାଥ ଗେଟ ନିକଟରୁ ଆଳୁ ଗାଡ଼ି ଫେରିଯିବା ପରେ ଆଳୁ ଦର ଉପରମୁହାଁ ହୋଇଛି। ସେପଟେ ସୀମାନ୍ତ ଅଂଚଳରେ କିଛି ବ୍ୟବସାୟୀ ମେସିନ ରିକ୍ସାରେ ପଶ୍ଚିମବଙ୍ଗରୁ ଆଣି ଆଳୁ ବିକ୍ରି କରୁଛନ୍ତି। ବିଭିନ୍ନ ସ୍ଥାନରେ ଚେକିଂ ଚାଲିଥିବା ବେଳେ କିଛି ବ୍ୟବସାୟୀ ଲୁଚାଛପା ଭାବେ ଆଳୁ ଆଣି ଭୋଗରାଇରେ ପହଁଚିଛନ୍ତି।

ଏପଟେ ବିଭିନ୍ନ ଆଳୁ ଗୋଦାମ ଉପରେ ଚଢ଼ାଉ କରିଛି ଯୋଗାଣ ବିଭାଗ ଟିମ୍। କେଉଁଠି କେତେ ପରିମାଣର ଆଳୁ ମହଜୁଦ ଅଛି, ତା’ର ଯାଂଚ କରିବା ସହ ଆସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ନଜର ରଖିଛି ଯୋଗାଣ ବିଭାଗ।