ଓଡିଶାରେ ପଡିବ କି ଡବଲ ଇଞ୍ଜିନ ସରକାରର ଡବଲ ପ୍ରଭାବ ? ଦିଲ୍ଲୀରେ ପ୍ରସ୍ତୁତ ହେଲା ଓଡିଶା ବିକାଶର ବ୍ଲୁପ୍ରିଣ୍ଟ ।

149

କନକ ବ୍ୟୁରୋ: ୩ ଦିନିଆ ଗସ୍ତରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା । ଆଜି ଶେଷଦିନରେ ମୋହନ ମାଝୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ତାଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ସାକ୍ଷାତ କରିଛନ୍ତି । ଆଉ ନଡ୍ଡାଙ୍କ ସହ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ନିର୍ବାଚନ ସମୟରେ ବିଜେପି ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ ପ୍ରତିଶ୍ରୃତି ଦେଇଥିଲା ।

ସେହିଭଳି ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଭେଟିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ବିଜେପି ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବି ଭେଟିଥିଲେ । ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଥିବାରୁ ଶାସନ ଓ ସରକାର ମଧ୍ୟରେ କିଭଳି ସମନ୍ୱୟ ରହିବ ସେ ନେଇ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି ।

ସେପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଓଡିଶାରେ ଡବଲ ଇଂଜିନ ସରକାରର ଡବଲ ପ୍ରଭାବ ପଡିବ । ଦୁଇ ସରକାର ଓଡିଶାର ବିକାଶ ଦିଗରେ କାମ କରିବେ । ଆଉ ବିଜେଡି କହିଛି,ଡବଲ ଇଂଜିନ ସରକାର ହୋଇଥିବାରୁ ଓଡିଶାର ଦାବି କୋଇଲା ରୟାଲଟି ବଢାଯାଉ । ଆଉ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳୁ ।

ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବରିଷ୍ଠ ମନ୍ତ୍ରୀଙ୍କୁ ଭେଟିଥିଲେ । ଆଉ ଆଜି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।