ରୋମ୍‌‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ : ବୈଠକରେ ଯୋଗଦେଲେ ୧୨ଟି ଦେଶରୁ ପ୍ରବାସୀ ଓଡ଼ିଆ

175

କନକ ବ୍ୟୁରୋ : ଇଟାଲୀର ରୋମରେ ୟୁରୋପରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁରୋପର ୧୨ଟି ଦେଶରୁ ପ୍ରାବସୀ ଓଡ଼ିଆ ଏହି ବୈଠକରେ ଯୋଗ ଦେଇଥିଲେ । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଓ ପ୍ରଗତି ବିଷୟରେ ପ୍ରବସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହା ସହ ଖାଦ୍ୟ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ପରି କିଛି କ୍ଷେତ୍ରରେ ରାଜ୍ୟର ଭଲ ପ୍ରଦର୍ଶନକୁ ମଧ୍ୟ ସେମାନେ ପ୍ରଶଂସା କରିଛନ୍ତି ।

ଆଲୋଚନା ବେଳେ ବ୍ରିଟେନରେ ରହିଥିବା ପ୍ରବସୀ ଓଡ଼ିଆମାନେ ଜଣାଇଛନ୍ତି ଯେ, ସେମାନେ ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ନିର୍ମାଣ କାର୍ଯ୍ୟରେ ସବୁପ୍ରକାର ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏହି ଆଲୋଚନା ବେଳେ ଫାଇଭ୍-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ବୃତ୍ତିଗତ, ଉଦ୍ୟୋଗ, ଗବେଷଣା, ମିସନାରି, ଇଞ୍ଜିନିୟରିଂ, ଆଇଟି ପ୍ରଭୃତି ବିଷୟର ଛାତ୍ରଛାତ୍ରୀ ରହିଥିଲେ । ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ ପ୍ରଭୃତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ସଫଳତାର କାହାଣୀ ଶୁଣି ଗର୍ବ ଅନୁଭବ କରିଥିଲେ । ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ବିକାଶ ପାଇଁ ନିଜ ଉତ୍ସର୍ଗୀକୃତ ମନଭାବକୁ ଦୋହରାଇଥିଲେ । ୟୁରୋପରେ ଓଡ଼ିଆମାନେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରୁଥିବା ଜାଣି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ଓଡ଼ିଶାରେ ଜାରି ରହିଥିବା ରୂପାନ୍ତରୀକରଣ ଅଭିଯାନ ବିଷୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅବଗତ କରାଇଥିଲେ ଓ ଓଡ଼ିଶାର ବିକାଶରେ ସହଭାଗୀ ହେବା ପାଇଁ ସେମାନଙ୍କୁ ଆମନ୍ତ୍ରିତ କରିଥିଲେ ।