ଆଜିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା : ଏପ୍ରିଲ ୩୦ ପର୍ଯ୍ୟନ୍ତ ଚାଲିବ ପାଠପଢ଼ା

136

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା । ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆରମ୍ଭ ହେବ ପାଠ ପଢା । ଏହା ଅପ୍ରେଲ ୩୦ ତାରିଖ ଯାଏଁ ଚାଲିବ । ସୋମବାର ଠାରୁ ଶନିବାର ଯାଏଁ ସକାଳ ୮ଟା ୩୦ ମିନିଟରୁ ଦିନ ୧୦ଟା ୩୦ ମିନିଟ ଯାଏ ପାଠ ପଢାହେବ । ଦୁଇ ଘଂଟାରେ ୩ଟି ପିରିୟଡରେ ପାଠପଢ଼ା ହେବ । ଏହି ସମୟରେ ଛାତ୍ରଛାତ୍ରୀଙ୍କୁ କୌଣସି ସାମୟିକ ବିରତି ଦିଆଯିବ ନାହିଁ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ରବିବାର ଛୁଟି ଦିନ ରହିବ ।

ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ପିଲା ୟୁନିଟ୍ ଟେଷ୍ଟ ଦେବେ । ଏପ୍ରିଲ୍ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ହେବ । ତେବେ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଦିନ ୧୧ଟାରୁ ଅପରାହ୍ଣ ୪ଟା ଯାଏ ଚାଲିବ । ଏହି ସମୟ ମଧ୍ୟରେ ୭ଟି କ୍ଲାସ ହେବ । ଦିନ ଗୋଟାଏ ୪୦ ରୁ ୨ଟା ୧୦ ପର୍ଯ୍ୟନ୍ତ ଅଧଘଂଟା ଖେଳଛୁଟି ବା ବିରତି ରହିବ । କିନ୍ତୁ ପୂର୍ବ ସୂଚୀ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ରବିବାର ଦିନ ମଧ୍ୟ ଜାରି ରହିବ ।