ନବମ ଓ ଏକାଦଶରେ ସମସ୍ତେ ପାସ୍ ‌: ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ଦେବାକୁ ଅନୁମତି

271

କନକ ବ୍ୟୁରୋ : ୨୦୨୧ ମେ’ ମାସରେ ମାଟ୍ରିକ ପରୀକ୍ଷା ଦେବେ ୨୦୧୯-୨୦ରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ । ଅର୍ଥାତ୍ ୨୦୧୯-୨୦ରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଆପେ ଆପେ ଯୋଗ୍ୟ ବିବେଚିତ ହୋଇଛନ୍ତି । ମ୍ରୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । କରୋନା ଯୋଗୁଁ ନବମ ଶ୍ରେଣୀର କ୍ଲାସ୍ ପ୍ରମୋସନ ପରୀକ୍ଷା ହୋଇ ପାରିନଥିଲା । ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉତୀର୍ଣ୍ଣ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍‌ ପାଇଁ ୨୦୨୦ ମାର୍ଚ୍ଚଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ତେଣୁ ୯ମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇପାରି ନ ଥିଲା । ପରବର୍ତୀ ସମୟରେ ୨୦୨୧ ଜାନୁଆରିରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି । ପରୀକ୍ଷା ଲାଗି ପିଲାଙ୍କୁ ପ୍ରସ୍ତୁତ କରିବାକୁ କୋଭିଡ୍‌-୧୯ ନିୟମାବଳି ପାଳନ କରାଯାଇ ସ୍କୁଲ ‌ଖୋଲିଛି । ମେ’ ମାସରେ ଦଶମ ‌ଶ୍ରେଣୀ ପରୀକ୍ଷା ଥିବାରୁ ପିଲାମାନେ ଏଥିପାଇଁ ପ୍ରସ୍ତୁତି ହେଉଛନ୍ତି । ଏଭଳି ସମୟରେ ସେମାନଙ୍କ ମାନସିକ ଚାପକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପିଲାଙ୍କ ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ ଦ୍ବନ୍ଦ୍ବ ଦୂର ପାଇଁ ସ୍ବତନ୍ତ୍ର କ୍ଲାସ ମଧ୍ୟ ବିଦ୍ୟାଳୟସ୍ତରରେ କରାଯିବ।

ସୂଚନାଯୋଗ୍ୟ ଯେ ୯ମ ଶ୍ରେଣୀରେ ଭଲ ମାର୍କ ରଖି ନ ଥିବା କେତେଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତୃପକ୍ଷ ମାଟ୍ରିକ୍‌ ବୋର୍ଡ ପରୀକ୍ଷା ଦେବାକୁ ବାରଣ କରିଥିଲେ। ଫର୍ମ ପୂରଣ କରିବାକୁ ସୁଯୋଗ ‌ଦେଇ ନ ଥିଲେ । ବିଶେଷକରି ଭୁବନେଶ୍ବର ଆଇଆରସି ଭିଲେଜ୍‌ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାକୁ ନେଇ ତମ୍ଭିତୋଫାନ ହୋଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ ସ୍କୁଲ ସମ୍ମୁଖରେ ତିନି ଦିନ ଧରି ଧାରଣାରେ ବସିରହିବା ପରେ କର୍ତୃପକ୍ଷ ନିଷ୍ପତ୍ତି ବଦଳାଇଥିଲେ । ସମସ୍ତ ପିଲା ପରୀକ୍ଷା ଦେବେ ବୋଲି ଘୋଷଣା ହୋଇଥିଲା। ରାଜ୍ୟର ଆଉ କେତେକ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି ଉପୁଜିବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।