ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନକୁ ନେଇ ଜାରି ରହିଛି ଦ୍ୱନ୍ଦ୍ୱ : ବିଶେଷଜ୍ଞ କମିଟିର ତୃତୀୟ ବୈଠକରେ ବି ବାହାରିପାରିଲାନି ବିକଳ୍ପ ବାଟ, ଆଜି ପୁଣି ବସିପାରେ ବୈଠକ

222

କନକ ବ୍ୟୁରୋ : କିପରି ମୂଲ୍ୟାଙ୍କନ କରାଯାଇ ଯୁକ୍ତ ୨ ପରୀକ୍ଷା ଫଳ ବାହାରିବ, ଜାରି ରହିଛି କସରତ । ବିକଳ୍ପ ମୂଲ୍ୟାଙ୍କନ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ବିଶେଷଜ୍ଞ କମିଟିର ତୃତୀୟ ବୈଠକ ସରିଛି । ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୧୪ ଜଣିଆ ବିଶେଷଜ୍ଞ କମିଟିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା । ଏହି କଂଟ ପୂରିଥିଲେ ମଧ୍ୟ ବିଶେଷଜ୍ଞ କମିଟିର ସଦସ୍ୟମାନେ ବିକଳ୍ପ ମୂଲ୍ୟାୟନ ପାଇଁ ନିର୍ଦ୍ଧାରିିତ ମାପଦଣ୍ଡ ଘୋଷଣା କରିପାରିନାହାନ୍ତି ।

ପୂର୍ବରୁ ଦୁଇ ଥର ବୈଠକ ଡକା ଯାଇଥିଲା । କିଛି ନିର୍ଯ୍ୟାସ ବାହାରି ନପାରିବାରୁ ବୁଧବାର ଦିନ ପୁଣି ବୈଠକ ଡକା ଯାଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ହୋଇଥିବା ବୈଠକରେ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ବୈଠକରେ ମୂଲ୍ୟାୟନର ରୂପରେଖ ସହ କେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ, ଏ ନେଇ ମାନସ ମନ୍ଥନ ହୋଇଥିଲା । ବୈଠକରେ ବିଭିନ୍ନ ପ୍ରକାର ପ୍ରସ୍ତାବ ଆସିଥିଲା । କିଛି ପ୍ରସ୍ତାବ ଉପରେ ବିଶଦ ଆଲୋଚନା ହୋଇଥିବା ଜଣାପଡିଛି । ଆଜି ପୁଣି ବିଶେଷଜ୍ଞ କମିଟିର ବୈଠକ ବସିବା ସମ୍ଭାବନା ରହିଛି ଏବଂ ମୂଲ୍ୟାୟନ ନେଇ ନିଷ୍ପତି ନିଆଯାଇପାରେ ବୋଲି ସୂଚନା ମିଳିଛି ।