ଆଜି ସରୁଛି ଜୁନ୍ ଲକଡାଉନର ଅବଧି : ଅପରାହ୍ଣ ସାଢେ ୨ଟା ସୁଦ୍ଧା ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

240

କନକ ବ୍ୟୁରୋ : ରାଜ୍ୟରେ କ’ଣ ହେବ ଜୁଲାଇ ଗାଇଡଲାଇନ୍ ? ଖୋଲିବ କି ଓଡିଶା ? ଆଜି ସାଢେ ୨ଟା ଭିତରେ ରାଜ୍ୟବାସୀଙ୍କୁ ମୁଖ୍ୟ ଶାସନ ସଚିବ ସମ୍ବୋଧନ କରିବେ । ଆସନ୍ତାକାଲି ସକାଳ ୫ଟାରେ ସରକାର ଘୋଷଣା କରିଥିବା ଚତୁର୍ଥ ପର୍ଯ୍ୟାୟ ତଥା ଆଂଶିକ ଲକଡାଉନ ଅବଧି ଶେଷ ହେବା ପାଇଁ ଯାଉଛି ।

ସାରା ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ଗୋଟିଏ ଚର୍ଚ୍ଚା ଅନଲକ ପ୍ରକ୍ରିୟାରେ ଆଉ କିଛି କଟକଣା କୋହଳ ହେବ କି ? ଯଦି ହେବ କେଉଁ ଆଧାରରେ, କେଉଁ କେଉଁ ଜିଲ୍ଲାରେ ଓ କେଉଁ ମଡେଲରେ ? ଏନେଇ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ସମୟରେ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଏ ।

ଏବେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ଜାରି ରହିଥିବା ବେଳେ ଅଧିକ ସଂକ୍ରମଣ ପ୍ରବଣ ଜିଲ୍ଲାଗୁଡିକରେ ଦିନ ଗୋଟାଏ ଯାଏଁ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲୁଛି । ସେହିଭଳି କମ୍ ସଂକ୍ରମଣ ଥିବା ଜିଲ୍ଲା ଗୁଡିକରେ ଅପରାହ୍ଣ ୫ ଯାଏଁ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ରହିଛି । ତେଣୁ ଏ ସମୟ କଟକଣାକୁ ଆଉ ଟିକିଏ କୋହଳ କରାଯିବାର ଯଥେଷ୍ଟ ସମ୍ଭାବନା ଅଛି ।

ଖୋର୍ଦ୍ଧା, କଟକ, ପୁରୀ, ବାଲେଶ୍ୱର ଓ ମୟୂରଭଂଜ ଭଳି ଜିଲ୍ଲାରେ ଅଧିକ ସଂକ୍ରମଣ ହାର ଥିବାରୁ ସେଠାରେ କଟକଣା ଅଧିକ ରହିପାରେ । ଗତକାଲି କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଛି ।