‘ଫୋନି’ ପାଇଁ କେନ୍ଦ୍ରୀୟ ସହାୟତା ଲୋଡ଼ିଲା ରାଜ୍ୟ । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।

139

କନକ ବ୍ୟୁରୋ: ଯମଦୂତ ହୋଇ ବାତ୍ୟା ‘ଫୋନି’ ଓଡ଼ିଶାରେ ତାଣ୍ଡବ ରଚିଲା ଆଉ ଗଲାପରେ ଏବେ ଚାରିଆଡ଼େ ହାହାକାର ଶୁଭୁଛି । ଏଭଳି ବିପତ୍ତି ସମୟରେ କିଭଳି ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଥଇଥାନ ଏବଂ ସମସ୍ତ ସୁବିଧା ଯୋଗାଇ ଦିଆଯିବ ସେନେଇ ରାଜ୍ୟ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିଛି । ତେଣୁ କେନ୍ଦ୍ର କ୍ୟାବିନେଟ୍ ସଚିବ ପ୍ରଦୀପ କୁମାର ସିହ୍ନାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ରାଜ୍ୟରେ କରାଳରୂପ ଦେଖାଇ ଧନଜୀବନ ନଷ୍ଟ କରିଥିବା ବାତ୍ୟା ‘ଫୋନି’ ବିଷୟରେ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ।

ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ବାତ୍ୟା ‘ଫୋନି’ରେ ମୋବାଇଲ୍ ସେବା ଏବଂ ବିଦ୍ୟୁତ୍ ସରବରାହ ଅଧିକମାତ୍ରାରେ ପ୍ରଭାବିତ ହୋଇଛି । ବିଶେଷ କରି ପୁରୀ, ଭୁବନେଶ୍ୱର ଏବଂ କଟକ ଭଳି ସହରରେ ଏହି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ଟେଲିକମ୍ କିମ୍ବା ବିଦ୍ୟୁତ୍ ସେବା ନୁହେଁ ବରଂ ଗମନାଗମନ ସହ ଯାତାୟତ ଓ ପାନୀୟ ଜଳ ସମସ୍ୟାରେ ଆଉଟୁ ପାଉଟୁ ହେଉଛନ୍ତି ବାତ୍ୟା ପ୍ରପୀଡ଼ିତ । ତେଣୁ ରାଜ୍ୟ ସରକାର ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଇନ୍ ଅନୁସାରେ ୫୦ କିଲୋ ଚାଉଳ ସହ ୨ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ଅନ୍ୟପଟେ କ୍ୟାବିନେଟ୍ ସଚିବ ସିହ୍ନା ଏସବୁ ସ୍ଥିତି ବିଷୟରେ ଅବଗତ ହେବା ପରେ ତୁରନ୍ତ ଶକ୍ତି ବିଭାଗ ସହ ଟେଲି କମ୍ୟୁନିକେସନ ମନ୍ତ୍ରଣାଳୟକୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଯେଉଁଠାରେ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି ସେଠାରେ ତୁରନ୍ତ ବିଦ୍ୟୁତ୍ ଖୁଣ୍ଟି ଯୋଗାଇଦେବା ସହ ପୁନଃରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ ସଚିବ ପ୍ରଦୀପ ସିହ୍ନା ।

ସେହିଭଳି ବାତ୍ୟା ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ଯେଉଁଭଳି ରିଲିଫ୍ ପ୍ରଦାନ କରୁଛନ୍ତି ସେନେଇ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଏଜେନ୍ସିଜ୍ ମାନଙ୍କୁ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ରହିଛି । ଏବଂ ସମସ୍ତ ପ୍ରକାର ସହାୟତ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବାକୁ ମଧ୍ୟ ତ୍ୱରିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି କ୍ୟାବିନେଟ୍ ସଚିବ ପ୍ରଦୀପ ସିହ୍ନା ।

Comments are closed.