ହୋଲି ରଙ୍ଗରେ ରଙ୍ଗେଇ ହେଲା ଓଡ଼ିଶା । ପରସ୍ପରକୁ ଫଗୁ ଅବିର ଲଗାଇ ରଙ୍ଗର ପର୍ବ ପାଳିଲେ ଲୋକେ, ଉତ୍ସବମୁଖର ହେଲା ରାଜ୍ୟ ।

236

କନକ ବ୍ୟୁରୋ : କରୋନା ଭୂତାଣୁର ଭୟାବହତା ଓ ସ୍ୱାସ୍ଥ୍ୟବିଭାଗର ବ୍ୟାପକ ପରାମର୍ଶ ଭିତରେ ରଙ୍ଗର ପର୍ବ ହୋଲିକୁ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି । ଭୂତାଣୁ ଭୟକୁ ପଛରେ ପକାଇ ଲୋକେ ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ରଙ୍ଗ ବେରଙ୍ଗର ଅବିର ଲଗାଇଛନ୍ତି ଏବଂ ନାଚି ଗାଇ ମିଠା ଖୁଆଇ ହୋଲି ପାଳିଛନ୍ତି ।

ଗୋଟିଏ ପଟେ ହୋଲିର ଉତ୍ସାହ, ଅନ୍ୟପଟେ କରୋନାର ଭୟ । ଏଭଳି ଦୋଛକି ଭିତରେ ପାରମ୍ପରିକ ରୀତିରେ ସାରା ରାଜ୍ୟରେ ପାଳିତ ହୋଇଛି ରଙ୍ଗର ଉତ୍ସବ ହୋଲି । ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଛନ୍ତି ଲୋକେ । ସ୍ଥାନେ ସ୍ଥାନେ ରଙ୍ଗ ଅବିର ସହ ଲୋକେ ଦଳ ଦଳ ହୋଇ ଗାଁ ପରିକ୍ରମା କରିଛନ୍ତି । ନାଚ ଗୀତ ସହ ବେଶ୍ ମଉଜ କରିଛନ୍ତି ସମସ୍ତେ ।

ତଥାପି ଲୋକଙ୍କ ଭିତରେ ରହିଥିଲା କରୋନା ଭୂତାଣୁର ଭୟ । ଫଳରେ ବାଲେଶ୍ୱର, ନବରଙ୍ଗପୁର ପରି କେତେକ ସ୍ଥାନରେ ହର୍ବାଲ ହୋଲି ଖେଳୁଥିବା ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ଯୁକ୍ତ ରଙ୍ଗ ପରିବର୍ତେ ଚାଉଳ ଏବଂ ହଳଦୀ ଗୁଣ୍ଡରେ ରଙ୍ଗ ପ୍ରସ୍ତୁତ କରି ହୋଲି ଖେଳିଛନ୍ତି ଲୋକେ । ସଂପର୍କୀୟଙ୍କୁ ରଙ୍ଗ ଲଗାଇ ପ୍ରେମ ଓ ଭାଇଚାରାର ବାର୍ତ୍ତା ବାଂଟିଛନ୍ତି ଗ୍ରାମବାସୀ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସିନ୍ଦୁର, ଚନ୍ଦନ ଓ ହଳଦୀକୁ ବ୍ୟବହାର କରି ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳନ କରିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ , ଡାକ୍ତର ଓ ସ୍ଥାନୀୟ ଲୋକେ ।

ହୋଲିର ରଙ୍ଗିନ ପରିବେଶ ଭିତରେ ରଙ୍ଗେଇ ହୋଇ ରାଜନୈତିକ ଦଳର ନେତା ମଧ୍ୟ ଏହି ପର୍ବର ମଜା ଉଠାଇଛନ୍ତି । ସମର୍ଥକଙ୍କ ସହ ହୋଲି ଖେଳିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କଂଗ୍ରେସ ଭବନରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ସୁର ରାଉତରାୟ ପ୍ରମୁଖ ହୋଲି ଖେଳିବା ସହ ରାଜ୍ୟବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇନ୍ତି ।

ସେପଟେ ଜୟପୁରରେ ପୁଣି ଥରେ ଦେଖିବାକୁ ମିଳିଛି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଠୁମକା । ଜୟପୁର ସହରରେ ସ୍ୱର ଘୁଙ୍ଗୁର ପକ୍ଷରୁ ଆୟୋଜିତ ହୋଲି ମିଳନ ମଂଚରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ ।

ସେପଟେ କୋଣାର୍କରେ ବିଭିନ୍ନ ଦେଶରୁ ଆସିଥିବା ପର୍ଯ୍ୟଟକ ମଧ୍ୟ ଭାରତର ଏହି ନିଆରା ପରମ୍ପରା ସହ ଯୋଡି ହୋଇ ମନାଇଛନ୍ତି ରଙ୍ଗର ପର୍ବର ହୋଲି । ଏହି ବିଦେଶୀ ପର୍ଯ୍ୟଟକମାନେ ଭାରତୀୟ ବେଶଭୂଷାରେ ସଜେଇ ହୋଇ ଅବିର ଖେଳୁଥିବା ଦେଖିବାକୁ ମିଳିଛି ।