ଓଡ଼ିଶାକୁ ଲମ୍ବିଛି ଅଶ୍ଳୀଳ ଭିଡିଓ ଚେର : ଢ଼େଙ୍କାନାଳ, ଭଦ୍ରକ, ଯାଜପୁରରୁ ଅନ୍ୟ ସ୍ଥାନକୁ ଘୁରି ବୁଲୁଥିଲା ଅପ୍ରାପ୍ତ ବୟସ୍କ ପିଲାଙ୍କ ଅଶ୍ଳୀଳ ଭିଡିଓ

ଢ଼େଙ୍କାନାଳର ସୁରେନ୍ଦ୍ର ନାୟକ ପାଉଥିଲେ ସପ୍ତାହକୁ ୨୧ ଡଲାର; ସିବିଆଇ ଟିମ୍ ଚଢ଼ାଉ ପରେ ସ୍ଥାନୀୟ ଅଂଚଳ ପୁରୁଷ ଶୂନ୍ୟ

1,427

କନକ ବ୍ୟୁରୋ : ଓଡିଶାକୁ ବି ଲମ୍ବିଛି ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣର ଚେର । ଢେଙ୍କନାଳ, ଭଦ୍ରକ, ଯାଜପୁରରୁ ଅନ୍ୟସ୍ଥାନକୁ ଘୁରିବୁଲୁଥିଲା ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଳୀଳ ଭିଡିଓ । ଗତକାଲି ଏହି ସ୍ଥାନରେ ଚଢାଉ କରି ଘଟଣାରେ ସଂପୃକ୍ତ ଥିବା ୩ ଜଣଙ୍କୁ ପଚରାଉଚରା କରିଛି ସିବିଆଇ ଟିମ । ଏମାନେ ହେଲେ ଢେଙ୍କନାଳର ସୁରେନ୍ଦ୍ର ନାୟକ, ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅନୀଲ ମାଝି ଓ ଭଦ୍ରକ ବନ୍ତ ବ୍ଲକର ଅଟୋ ଚାଳକ ମନୋଜ ଦାସ ।

ସୁରେନ୍ଦ୍ର ନାୟକ ୨ ମାସ ପୂର୍ବରୁ ଏହି ଗ୍ରୁପରେ ସାମିଲ ହୋଇଥିଲେ । ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଲୀଳ ଭିଡିଓ ପଠାଇବା ଲାଗି ତାଙ୍କୁ ସପ୍ତାକୁ ମିଳୁଥିଲା ୨୧ ଡଲାର । ସୁରେନ୍ଦ୍ରଙ୍କୁ ପୁଲିସ ଗିରଫ କରିଛି । ସେହଭଳି ଅନୀଲ ମାଝିଙ୍କୁ ବି ପଚରାଉଚରା ହୋଇଛି ତା ମୋବାଇଲ ଫୋନକୁ ଜବତ କରିଛି ପୁଲିଶ । ସିବିଆଇ ଅନୀଲଙ୍କ ବ୍ୟାଙ୍କ ଆକାଂଉଟକୁ ଜବତ କରିବା ସହ ଏଥିରେ ବିଦେଶୀ ଲିଙ୍କ ଥିବା କଥା ଜାଣିବାକୁ ପାଇଛି ପୁଲିସ ।

ସ୍ଥାନୀୟ ପାଣିକୋଇଲି ଥାନାରେ ଏତଲା ବି ଦାୟର ହୋଇଛି । ସେହିଭଳି ମନୋଜ ଦାସ ବ୍ୟବହାର କରୁଥିବା ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ମୋବାଇଲକୁ ଜବତ କରି ଯାଂଚ କରିଛି ସିବିଆଇ । ପୂର୍ବରୁ ମନୋଜ ବେଙ୍ଗାଲୁରୁରେ ରହୁଥିଲା । କୋଭିଡ ସମୟରେ ଘରକୁ ଆସି ଅଟୋ ଚଳାଉଥିଲ । ତେବେ ଏଥିରେ ମନୋଜଙ୍କ ସହ ଆଉ କାହାର ସଂପୃକ୍ତି ଅଛି , ସେ ନେଇ ଖୋଳତାଡ କରିଛି ପୁଲିସ ।

ପକ୍ସୋ ଆକ୍ଟରେ କ’ଣ ରହିଛି ଦଣ୍ଡ ବ୍ୟବସ୍ଥା ?
– ଶିଶୁଙ୍କ ସହ ଜଡ଼ିତ ଯେକୌଣସି ଯୌନ ସମ୍ବନ୍ଧୀୟ ଡିଜିଟାଲ ବା କମ୍ପ୍ୟୁଟର ବିଷୟବସ୍ତୁ ଶିଶୁ ନିର୍ଯାତନା ଅଧିନରେ ଆସିବ
– ଶିଶୁ ନିର୍ଯାତନା ସଂପର୍କିତ ଭିଡିଓ ପ୍ରସାରଣ କଲେ ଜରିମାନା ସହ ଦଣ୍ଡ ବ୍ୟବସ୍ଥା
– ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହ ଜରିମାନା ବ୍ୟବସ୍ଥା
– ପ୍ରଥମ ଅପରାଧ ପାଇଁ ଅତି କମରେ ୫ ହଜାର ଟଙ୍କା ଜରିମାନା
– ବାରମ୍ବାର ଭିଡିଓ ପୋଷ୍ଟ କରି ଡିଲିଟ୍ କଲେ ୧୦ ହଜାର ଫାଇନ୍
– ୧୨ ବର୍ଷରୁ କମ୍ ନାବାଳିକାଙ୍କ ସହ ଦୁଷ୍କର୍ମ କଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥା
– କୌଣସି ବିଶେଷ ପରିସ୍ଥିତି ନଥିଲେ ବର୍ଷେ ମଧ୍ୟରେ ମାମଲା ଶେଷ ହେବ

ସେପଟେ ସିବିଆଇ ଟିମ ଉପରେ ଆକ୍ରମଣ ପରେ ଢେଙ୍କାନାଳରେ ଜୁବୁଲି ଟାଉନ କଲୋନୀ ସାହି ବାସିନ୍ଦା ଭୟରେ ଘର ଛାଡି ଲୁଚିଛନ୍ତି । ଏ ନେଇ ପୁଲିସ କହିଛି, ସିବିଆଇ ପକ୍ଷରୁ ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ । ସୁରେନ୍ଦ୍ର ୨ ମାସ ହେବ ଏକ ୱେବସାଇଟରୁ ଅଶ୍ଳୀଳ ଭିଡିଓ ଡାଉନଲୋଡ କରି ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏଥିପାଇଁ ୨୨ ଆମେରିକୀୟ ଡଲାର ସୁରେନ୍ଦ୍ରଙ୍କ ଢେଙ୍କନାଳ ଇଣ୍ଡିଆନ ବ୍ୟାଙ୍କକୁ ଆସିଛି ।