କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ସରୁଛି ନିର୍ବାଚନ ପ୍ରଚାର । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍ ଗ୍ରହଣ ହେବ । ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟିଂ ହେବ । ଫେବ୍ରୁଆରୀ ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ ତାରିଖରେ ପଂଚମ ପର୍ଯ୍ୟାୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରେ ଭୋଟ୍ ଗଣତି କରାଯିବ ।

Advertisment

ନିର୍ବାଚନ ବୈତରଣୀ ପାର ହେବାକୁ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଚାର ବିଜେଡି ପ୍ରାର୍ଥୀଙ୍କ ପାଇଁ ସବୁବେଳେ ଅମୋଘ ଅସ୍ତ୍ର ପାଲଟିଥାଏ । କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ନିଜ ନିର୍ବାଚନମଣ୍ଡଳୀ ବାଦ୍‌ ଅନ୍ୟ କୌଣସି ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିନଥିଲେ । ଏଥର ମଧ୍ୟ ସେ ପ୍ରଚାରରେ ସାମିଲ ହୋଇ ନାହାନ୍ତି । ନବୀନ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ପ୍ରଚାରରେ ସାମିଲ ହେବେ ବୋଲି ନେତା ଓ କର୍ମୀମାନେ ଆଶା ରଖିଥିଲେ । କିନ୍ତୁ ଏ ଯାଏ ସେପରି କିଛି ଘଟି ନାହିଁ ।

ପ୍ରଥମ ପର୍ଯ୍ୟାୟ ମତଦାନ ପାଖେଇ ଅସୁଥିଲା ବେଳେ ସେ ପ୍ରଚାର ଆରମ୍ଭ କରି ନାହାନ୍ତି । ଆଗକୁ ମଧ୍ୟ ପ୍ରଚାରକୁ ଓହ୍ଲାଇବାର ସମ୍ଭାବନା କ୍ଷୀଣ । ତେବେ ବିଜେଡି ପକ୍ଷରୁ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଓ ପ୍ରଚାରରେ ଆଦୌ ହେଳା କରାଯାଇ ନାହିଁ। ଗାଁ ଗାଁରେ ଦଳର ବରିଷ୍ଠ ନେତା, ଅଭିନେତା ସମସ୍ତେ ପ୍ରଚାର ଜୋର୍‌ଦାର କରିଛନ୍ତି । ପ୍ରତି ପର୍ଯ୍ୟାୟ ନିର୍ବାଚନ ପରେ ସେଠାରେ ଦାୟିତ୍ବରେ ଥିବା ନେତାମାନେ ଅନ୍ୟତ୍ର ପ୍ରଚାର କାର୍ଯ୍ୟରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ପାଇଁ ତାଲିକା ପ୍ରସ୍ତୁତ କରି ଧରାଇ ଦିଆଯାଇଛି ।

ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରଚାର ଜୋର୍‌ଦାର କରିଥିଲା। ଦଳର ରାଜ୍ୟ ଚେହେରା ପାଲଟିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପ୍ରଚାରର ମଙ୍ଗ ଧରିଥିଲେ। ସାରା ରାଜ୍ୟରେ ମାରାଥନ୍ ପ୍ରଚାର କରିଥିଲେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ, ଆହୁରି ଏକାଧିକ କେନ୍ଦ୍ରମନ୍ତ୍ରୀ, ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାମାନେ ପ୍ରଚାରରେ ସାମିଲ ହୋଇଥିଲେ। ଦଳକୁ ଭଲ ସଫଳତା ମଧ୍ୟ ମିଳିଥିଲା । କିନ୍ତୁ ଏଥର ଧର୍ମେନ୍ଦ୍ର ଏ ଯାଏ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ନାହାନ୍ତି । କେବଳ ଥରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଘର ଘର ବୁଲି ମୋଦୀଙ୍କ ଅବଦାନକୁ ଲୋକଙ୍କୁ ଜଣାଇବା ପାଇଁ କହିଥିଲେ ।

ଏହା ପରେ ସେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ କୌଣସି ରାଜନୈତିକ ସଭା କରି ନାହାନ୍ତି । ଯଦିଓ ଧର୍ମେନ୍ଦ୍ର ଉତ୍ତରପ୍ରଦେଶ ନିର୍ବାଚନର ଗୁରୁ ଦାୟିତ୍ବ ବହନ କରୁଛନ୍ତି, ତେବେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ପ୍ରଚାର କରିବାରେ କୌଣସି ସମସ୍ୟା ନ ଥିଲା । କିନ୍ତୁ ବର୍ତ୍ତମାନ ଯାଏ ତାହା ସେ ଆରମ୍ଭ କରି ନାହାନ୍ତି । ସେହିପରି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବି ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିଛନ୍ତି । ଯଦିଓ ଗତ ସପ୍ତାହରେ ସେ ଭୁବନେଶ୍ବର ଆସିଥିଲେ, ତେବେ କୌଣସି ପ୍ରଚାରରେ ସାମିଲ ହୋଇ ନ ଥିଲେ। କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ କିଛି ଜାଗାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।