ଆରୟନ ଖାନ୍ ଡ୍ରଗ୍ସ ମାମଲା: ତଦନ୍ତ କରିବେ ଓଡିଶା କ୍ୟାଡରର ଅଧିକାରୀ ସଂଜୟ ସିଂହ

114

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ହଟିଲେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ । ଏଣିକି ଆରୟନ ଖାନ୍ କେସ୍ର ତଦନ୍ତ କରିବେ ଏନିସିବି ଅଧିକାରୀ ସଞ୍ଜୟ ସିଂହ । ଆରୟନ ଖାନ୍ ମାମଲା ସହ ଅନ୍ୟ ୬ଟି ଡ୍ରଗ୍ସ କେସ୍ର ଯାଂଚ ପାଇଁ ସଂଜୟ ସିଂହ ଦିଲ୍ଲୀରୁ ମୁମ୍ବାଇ ଆସିଛନ୍ତି ।

ଆରୟନ ଖାନଙ୍କ ସମେତ ଅନ୍ୟ ୬ଟି ଡ୍ରଗ୍ସ ମାମଲାର ଯାଂଚ କରୁଥିବା ତଦନ୍ତ ଅଧିକରୀ ପଦରୁ ହଟିଲେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ । ଏଣିକି ଏହି ସମସ୍ତ ମାମଲାର ଯାଂଚ କରିବେ ଏନସିବି ଏସଆଇଟି ମୁଖ୍ୟ ସଂଞ୍ଜୟ ସିଂହ । ଏନେଇ ଶୁକ୍ରବାର ଦିଲ୍ଲୀ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଘୋଷଣା କରିବା ପରେ ଶନିବାର ମୁମ୍ବାଇ ପହଁଚିଛନ୍ତି ସଂଞ୍ଜୟ ସିଂହ । ଯାହାକୁ ନେଇ ଖୁସି ଜାହିର କରିଛନ୍ତି ଏନସିପି ନେତା ନୱାବ ମଲ୍ଲିକ ।

ଆରୟନ ଖାନ ମାମଲାର ତଦନ୍ତ ଭାର ଏବେ ସଂଜୟ ସିଂହଙ୍କ ହାତକୁ ଯାଇଛି । ତେବେ କିଏ ଏହି ସଂଜୟ ସିଂହ । ଆଉ ତାଙ୍କୁ କାହିଁକି ଏହି ମାମଲାର ତଦନ୍ତ ଭାର ହସ୍ତାନ୍ତର କରାଗଲା ।
– ୧୯୯୬ ବ୍ୟାଚ ଓଡିଶା କ୍ୟାଡର ର ଆଇପିଏସ ଅଧିକାରୀ ସଂଜୟ ସିଂହ
– ଓଡ଼ିଶା ପୁଲିସରେ ଆଡିସନାଲ କମିଶନର ଦାୟିତ୍ୱ ପଦ ତୁଲାଇଥିଲେ
– ଓଡ଼ିଶା ପୁଲିସରେ ଆଇଜି ପଦ ମଧ୍ୟ ସମ୍ଭାଳିଛନ୍ତି ସଂଜୟ ସିଂହ
– ସିବିଆଇରେ ଦାୟିତ୍ୱ ତୁଲାଉଥିବାବେଳେ କମନ ୱେଲଥ ଗେମ ଘୋଟାଲାର ପର୍ଦ୍ଦଫାଶ କରିଥିଲେ

ଆଉ ଏବେ ସଂଜୟ ସିଂହଙ୍କ ନେତୃତ୍ୱରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କାଣ୍ଡର ପର୍ଦ୍ଦାଫାଶ କରିବ ଏନସିବି । ସେପଟେ ସମୀର ୱାଙ୍ଖଡେ କହିଛନ୍ତି ତାଙ୍କୁ ଦାୟିତ୍ୱରୁ ହଠାଇ ଦିଆଯାଇ ନାହିଁ, ବରଂ ସେ ନିଜେ ଏ ମାମଲାରୁ ଓହରିବା ପାଇଁ ଆବେଦନ କରିଥିଲେ । ଅନ୍ୟପଟେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆସିଛି ନୂଆ ମୋଡ । ଏନସିପି ବିରୋଧରେ ଠୋସ ପ୍ରମାଣ ଆଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେପି ନେତା ମୋହିତ କମ୍ବୋଜ । ପୂରା ମାମଲାର ମାଷ୍ଟର ମାଇଣ୍ଡ ଏନସିପି ନେତା ସୁନୀଲ ପାଟିଲ ବୋଲି କହିଛନ୍ତି ମୋହିତ ।

ଆରୟନ ଖାନଙ୍କୁ ଗିରଫ କରିବା ପରଠାରୁ ବିବାଦକୁ ଆସିଯାଇଥିଲେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ । ଘଟଣାକୁ ନେଇ ତାଙ୍କ କର୍ମଜୀବନରୁ ଆରମ୍ଭ କରି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାକୁ ଆସିଲା । ଆରୟନ ଖାନଙ୍କୁ ଛାଡିବା ପାଇଁ ସମୀର ୱାଙ୍ଖଡେ ଲାଂଚ ମାଗିଥିବା ଅଭିଯୋଗ ହୋଇଥିଲା । ଆଉ ଏଥିପାଇଁ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ମୁମ୍ବାଇ ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେ । ଏବେ ଦେଖିବାକୁ ବାକି ରହିଲା, ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।