୩ ନୂଆ କ୍ୟାବିନେଟ୍ ମନ୍ତ୍ରୀ ନେଲେ ଶପଥ । ଉତ୍ତର, ଦକ୍ଷିଣ, ପଶ୍ଚିମ ଓଡିଶା ନେତାଙ୍କୁ ମନ୍ତ୍ରିପଦ ଦେଇ ୨୦୨୪ ପାଇଁ ବଡ଼ ବାର୍ତ୍ତା ଦେଲେ କି ନବୀନ?

382

କନକ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ତିନି ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଉ ଶପଥ ଗ୍ରହଣ ପରେ ତିନି ଜଣଙ୍କୁ ବିଭାଗ ବି ବଣ୍ଟନ କରାଯାଇଛି ।

ତେବେ ବିକ୍ରମ ଆରୁଖ, ସୁଦାମ ମାର୍ଣ୍ଡି,ସାରଦା ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ନବୀନ ପୁଣି ଥରେ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତିି । ନବୀନ ଉତ୍ତର ଓଡିଶା, ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାକୁ ଫୋକସ କରି ଏହି ୩ ଜଣ ମନ୍ତ୍ରୀଙ୍କୁ ବାଛିଛନ୍ତି ।

  • ବିକ୍ରମ ଆରୁଖଙ୍କୁ ମିଳିଲା ଅର୍ଥମନ୍ତ୍ରୀ ପଦ
  • ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ
  • ଶ୍ରମ ମନ୍ତ୍ରୀ ହେଲେ ଶାରଦା ନାୟକ

ବିକ୍ରମ ଆରୁଖ

ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ଜଣେ ଟାଣୁଆ ଓ ବରିଷ୍ଠ ନେତା । ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ, ବିକ୍ରମଙ୍କ ଉପରେ ଭରସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ଅର୍ଥ ବିଭାଗ ଭଳି ଗୁରୁତ୍ୱପୂର୍ଣର୍ ବିଭାଗର ଦାୟିତ୍ୱ ଦେଇଛନ୍ତି । ଚର୍ଚ୍ଚା ହେଉଛି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟପାତ୍ର ଅସୁସ୍ଥ ହେବା, ଉଷା ଦେବୀ ସଂଗଠନରୁ ଦୂରେଇ ରହିବା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳ ବିରୋଧରେ ଓହ୍ଲାଇବା, ଗଞ୍ଜାମ ଜିଲ୍ଲାରେ ବିଜେଡି ସଂଗଠନ ଦୁର୍ବଳ କରିଛି । ଆଉ ଏତିକିବେଳେ ବିକ୍ରମ ଆରୁଖଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ କରି, ଗଞ୍ଜାମର ଭୋଟରଙ୍କୁ ସ୍ୱତନ୍ତ୍ର ବାର୍ତା ଦେବାକୁ ଉଦ୍ୟମ କରିଛନ୍ତିି ନବୀନ । ତେବେ ମନ୍ତ୍ରୀ ହେବା ପରେ ବିକ୍ରମ କହିଛନ୍ତିି, ନବୀନ ତାଙ୍କୁ ଯାହା ଦାୟିତ୍ୱ ଦେବେ ସେ ତୁଲାଇବେ ।

ସୁଦାମ ମାର୍ଣ୍ଡି

ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ଦାୟିିତ୍ୱ ଦେଇଛନ୍ତିି ନବୀନ । କୁହାଯାଉଛି, ମୟୂରଭଞ୍ଜ ଜିଲ୍ଲାର ବିଧାୟକ ଥିବା ସୁଦାମଙ୍କୁ ୧୧ମାସ ପରେ ପୁଣି ଥରେ ମନ୍ତ୍ରୀ କରିବା ପଛରେ ଉଦେଶ୍ୟ ହେଉଛି, ଆଦିବାସୀ ଭୋଟ୍ । ଯେହେତୁ ମୟୂରଭଞ୍ଜର ଝିଅ ରାଷ୍ଟ୍ରପତି ହୋଇଛନ୍ତି, ମୟୂରଭଞ୍ଜର ସାଂସଦ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, ସେଥିପାଇଁ ନବୀନ ସୁଦାମଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ସରକାର ଓ ସଂଗଠନକୁ ମଜଭୁତ କରିବାକୁ ଉଦ୍ୟମ କରିଛନ୍ତି ।

ସାରଦା ପ୍ରସାଦ ନାୟକ

ଝାରସୁଗୁଡା ଉପନିର୍ବାଚନ ପରେ ତାଙ୍କୁ ପୁରସ୍କୃତ କରାଯାଇଥିବା କଥା କୁହାଯାଉଛି । କିନ୍ତୁ ସାରଦାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପଛରେ ରାଜନୈତିକ କାରଣ ଥିବା ଆଲୋଚନା ହେଉଛି । ୨୦୧୯ ନିର୍ବାଚନରେ ବିପର୍ଯ୍ୟୟର ସାମନା କରିଥିଲା ବିଜେଡି । ସଂସଦୀୟ କ୍ଷେତ୍ର ହାତରୁ ଯିବା ସହିତ ୫ଟି ବିଧାନସଭା କ୍ଷେତ୍ର ଯାଇଥିଲା । ତେଣୁ ସାରଦାଙ୍କୁ ମନ୍ତ୍ରୀ କରି ପଶ୍ଚିମ ଓଡିଶାର ସଂଗଠନକୁ ସଜାଡିବା ଲକ୍ଷ୍ୟରେ ରହିଛି ଦଳ ।

ମନ୍ତ୍ରିମଣ୍ଡଳରୁ ଗୋଟିଏ ବାର୍ତ୍ତା ସ୍ପଷ୍ଟ ଯେ, ମନ୍ତ୍ରିମଣ୍ଡଳ ଅଦଳବଦଳ ଛୋଟ ହେଲେ ବି ଏହା ପଛରେ ରହିଛି ଆଗାମୀ ନିର୍ବାଚନ ପାଇଁ ନବୀନଙ୍କ ସ୍ୱତନ୍ତ୍ର ରଣନୀତି ।