ସଫଳ ହେବ ତ ସରକାରଙ୍କ ଯୋଜନା ? ନିଷ୍ପତିରେ ରହିଯିବନି ତ କ୍ୟାବିନେଟ୍ ଅନୁମୋଦନ ?

230

କନକ ବ୍ୟୁରୋ : ଚୌଦ୍ୱାରରେ ବୟନ ଓ ସମ୍ବଲପୁରରେ ପ୍ଲାଷ୍ଟିକ ଶିଳ୍ପ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେବା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା ସାରା ରାଜ୍ୟ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି । ଏହି ଶିଳ୍ପ ପ୍ରତିଷ୍ଠା ହେଲେ, କଟକ, ସମ୍ବଲପୁର ସମେତ, ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି କୁହାଯାଉଛି । ସେହିପରି ଏହି ଦୁଇ ଶିଳ୍ପ ପ୍ରତିଷ୍ଠା ହଜାର ହଜାର ନିଯୁକ୍ତି ସୁଯୋଗ ଆଣିବ ବୋଲି କୁହାଯାଉଥିବାରୁ ବେଶ୍ ଉତ୍ସାହିତ ସ୍ଥାନୀୟ ଲୋକ ।

ରାଜ୍ୟକୁ ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ମଧ୍ୟ ଅନେକ ପଦକ୍ଷେପ ନେଇଛନ୍ତି । ଶିଳ୍ପ ଅନୁକୂଳ ନୀତି, ଭରପୁର କଂଚାମାଲ, ସିଙ୍ଗିଲ ୱିଣ୍ଡୋ ସିଷ୍ଟମ ଏବଂ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ ଜରିଆରେ ପୁଞ୍ଜିନିବେଶକଙ୍କୁ ଆକୃଷ୍ଠ କରିବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଅନେକ ସମୟରେ ଶିଳ୍ପ ପ୍ରତିଷ୍ଠା ହୋଇପାରିନି । ତେଣୁ ଏବେ ଯେଉଁ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି, ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଆଉ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଚୌଦ୍ୱାରରେ ୩ହଜାର କୋଟି ଟଙ୍କା ନିବେଶରେ ଏକ ସମନ୍ୱତ ବୟନ ଶିଳ୍ପର ପ୍ରତିଷ୍ଠା ହେବ । ଏଥିରେ ପ୍ରତ୍ୟକ୍ଷ ଭାବରେ ୧୦ହଜାର ଓ ପରେକ୍ଷ ଭାବରେ ଅନୁରୂପ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ସମ୍ବଲପୁର ନୀଳଡୁଙ୍ଗୁରୀରେ ୩ହଜାର ୬ଶହ କୋଟି ଟଙ୍କାରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ୍ କାରଖାନା ।