ଧର୍ମାନୁଷ୍ଠାନ ନଖୋଲିବା ପଛରେ ରହିଛି କି ରହସ୍ୟ? କାହା କଥା କାହା ସହ ମେଳ ଖାଉନି: ମୁଖ୍ୟସଚିବ କହିଲେ, ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି; ଦେବୋତ୍ତର କମିସନର କହିଲେ, ସରକାରଙ୍କୁ ପ୍ରସ୍ତାବ ଦେଇଛୁ

56

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ଅନ୍ୟ ମନ୍ଦିର କାହିଁକି ଖୋଲିବନି? ଏହାକୁନେଇ ବିଭିନ୍ନ ମହଲରେ ଦେଖାଦେଇଥିବା ଅସନ୍ତୋଷ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସବୁଠାରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ପୁରୀ ଶ୍ରୀମନ୍ଦିର ଯଦି ସରକାର ଖୋଲିପାରୁଛନ୍ତି, କେଉଁ ମାପକାଠିରେ ଅନ୍ୟମନ୍ଦିରକୁ ଖୋଲିବା ନିଷ୍ପତ୍ତିରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛି?

ଜିଲ୍ଲାପାଳମାନେ ଆଲୋଚନା କରୁନାହାନ୍ତି କି ନିଷ୍କର୍ଷ କାଢୁନାହାନ୍ତି

ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟଶାସନ ସଚିବ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏକ ଟ୍ବିଟ୍ ମାଧ୍ୟମରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ ମନ୍ଦିର ଖୋଲିବା ସଂକ୍ରାନ୍ତ ନିଷ୍ପତ୍ତି ବହୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବା ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ହୋଇଛି। ମନ୍ଦିର ଖୋଲିବା କ୍ଷେତ୍ରରେ କୋଭିଡ୍ ନିୟମକୁ କଡ଼ାକଡି ଭାବେ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଜିଲ୍ଲାପାଳମାନେ ବିଭିନ୍ନ ମନ୍ଦିର କର୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଏସ୍ଓପି ଜାରି କରି ମନ୍ଦିର ଖୋଲିପାରିବେ। ଅନ୍ୟପକ୍ଷରେ ଦେବୋତ୍ତର ନିରୀକ୍ଷକ ନିରୋଜ ଛୋଟରାଜ ଗଣମାଧ୍ୟମକୁ କହିଥିଲେ ଯେ ହାଇକୋର୍ଟଙ୍କ ନିର୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ହଜାର ମନ୍ଦିର ଖୋଲିବା ନେଇ କି କି ପଦ୍ଧତି ପାଳନ କରାଯିବ, ତାହା ନିର୍ଦ୍ଧାରଣ କରି ଦେବୋତ୍ତର କମିସନର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏକକାଳୀନ ଭକ୍ତ ପ୍ରବେଶ ବାରଣ ରହିଛି। ସାମାଜିକ ଦୂରତା, ମନ୍ଦିର ଦ୍ୱାରରେ ସାନିଟାଇଜର ବ୍ୟବହାର ଓ ବାରମ୍ବାର ମନ୍ଦିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। କେବଳ ଦର୍ଶନ କରାଯିବ। ହେଲେ ବଡ଼ ପୂଜା ହେବ ନାହିଁ। ଏ ସବୁ ମାନି ମନ୍ଦିର ଖୋଲି ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହାକୁ କେହି ଅମାନ୍ୟ କଲେ ମନ୍ଦିର ଖୋଲିବ ନାହିଁ। ତେବେ ଏ କ୍ଷେତ୍ରରେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ହିଁ ନେବେ।

ମୁଖ୍ୟଶାସନ ସଚିବ ଓ ଦେବୋତ୍ତର କମିସନରଙ୍କ ସୂଚନା ଏବେ ଏହି ପ୍ରସଙ୍ଗକୁ ଅଧିକ ବିବାଦୀୟ କରିପକାଇଛି। କାହା କଥା ଠିକ୍ ତାହା ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଯଦି ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ବ ନ୍ୟସ୍ତ ରହିଛି, ତେବେ ରାଜ୍ୟ ସରକାରଙ୍କ ଅନୁମତି ପୁଣି କେଉଁ କାରଣ ପାଇଁ ଆବଶ୍ୟକ ପଡୁଛି? କାହିଁକି ରାଜ୍ୟ ସରକାର ମନ୍ଦିର ଖୋଲିବା ସଂକ୍ରାନ୍ତରେ ନିଜ ଆଡୁ ଏକ ଏସଓପି ଜାରି କରି ଜିଲ୍ଲା ପ୍ରଶାସନକୁ ଧରାଉନାହାନ୍ତି? ସରକାରଙ୍କ ଅନୁମତି ପରେ କେଉଁ ଜିଲ୍ଲାପାଳମାନେ ପରିଚାଳନା ବୋର୍ଡ ବା ସେବାୟତଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେଲେଣି? ସେମାନଙ୍କ ଆଲୋଚନାରୁ କି ନିଷ୍କର୍ଷ ବାହାରିଲା? ଏଭଳି ମାଳ ମାଳ ପ୍ରଶ୍ନର ଉତ୍ତର ମିଳୁନାହିଁ।

ତେବେ ପ୍ରମୁଖ ମନ୍ଦିରମାନଙ୍କୁ ଛାଡିଦେଲେ ଅନ୍ୟ ମନ୍ଦିରମାନଙ୍କରେ କୌଣସି ପରିସ୍ଥିତିରେ (ଯଦି ସଂପୃକ୍ତ ମନ୍ଦିରର ସ୍ବତନ୍ତ୍ର ଉତ୍ସବ ନଥାଏ) ହଜାର ହଜାର ଲୋକଙ୍କର ସମାଗମ ହେବାର ଉଦାହରଣ ମଧ୍ୟ ନାହିଁ। କିଛି କ୍ଷେତ୍ରରେ ଦିନକୁ ୧୦୦ ସରିକି ଲୋକଙ୍କର ବି ଉପସ୍ଥିତି ନ ଥାଏ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଜୀବନ ଜୀବିକା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ଜୋର ଦେଉଛନ୍ତି। ରାଜ୍ୟର ବିଭିନ୍ନ ମନ୍ଦିରମାନଙ୍କ ଉପରେ ଲକ୍ଷାଧିକ ଲୋକଙ୍କ ପରିବାର ନିର୍ଭର କରୁଛି। ରାଜ୍ୟ ସରକାର ଦିନ କେତେ ସେମାନଙ୍କୁ ସହାୟତା ଦେବା ପରେ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି। ଫଳରେ ଏହି ବର୍ଗର ଲୋକମାନଙ୍କ ସ୍ଥିତି ଦୁର୍ବିସହ ହୋଇପଡ଼ିଲେଣି। ସେମାନେ ରାଜରାସ୍ତାକୁ ବି ଓହ୍ଲାଇଲେଣି। କେବଳ ସେତିକି ନୁହେଁ, ମନ୍ଦିର ଆଦି ଧର୍ମାନୁ୍ଷ୍ଠାନ ସହିତ ଏକ ବିଶ୍ବାସ ଯୋଡ଼ି ହୋଇ ରହିଛି। ଏଣୁ ସରକାର ଅନ୍ୟ ସବୁ କ୍ଷେତ୍ରରେ କଟକଣା କୋହଳ କରିଦେଇଥିବା ବେଳେ ଧର୍ମାନୁଷ୍ଠାନ ଖୋଲିବା କ୍ଷେତ୍ରରେ ଏଭଳି କଠୋର ମନୋଭାବ ଅବଲମ୍ବନ ପଛରେ ଆଉ କି ରହସ୍ୟ ଲୁଚି ରହିଛି?

Comments are closed.