ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ପାଇଁ ଚଳିତ ବର୍ଷ ୧୨୫୦ କୋଟି ବ୍ୟୟ ଅଟଳଳ । ଠିକାଦାର ନୁହେଁ ବରଂ ଏଣିକି ବିଭାଗୀୟ ଅଧିକାରୀ କରିବେ କାମ

84

କନକ ବ୍ୟୁରୋ : ୨୦୧୮-୧୯ ଆର୍ଥିକ ବର୍ଷରେ ଆମ ଗାଁ ଆମ ବିକାଶ ଯୋଜନାରେ ୧୨୫୦ କୋଟି ଟଙ୍କା ବିନିଯୋଗ ହେବ। । କୌଣସି ଠିକାଦାର ଏହି ଯୋଜନା ଅନ୍ତର୍ଗତ କାର୍ଯ୍ୟରେରେ ନିୟୋଜିତ ହେବେ ନାହିଁ। କେବଳ ସେତିକି ନୁହେଁ, ଆଜି କ୍ୟାବିନେଟରେ ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା କ୍ୟାଡରରେ ପରିବର୍ତନ ପ୍ରସ୍ତାବକୁ ମଧ୍ୟ ମୋହର ଲାଗିଛି।

 

କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ, ୨୦୧୮-୧୯ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ତାଙ୍କ ନିଜସ୍ୱ ପାଣ୍ଠିରୁ ଆମ ଗାଁ ଆମ ବିକାଶ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ସାଧାରଣ ଲୋକ ଓ ଗୋଷ୍ଠୀର ଉନ୍ନତିରେ ସହାୟକ ହେଉଥିବା ନୂଆ ପ୍ରକଳ୍ପ, ଯାହା ଅନ୍ୟ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ, ସେସବୁକୁ ଏଥିରେ ନିଆଯିବ।

ନିଷ୍ପତ୍ତି ହୋଇଛି, ଏହି ଯୋଜନାରେ ୧ଲକ୍ଷରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ ନିଆଯିବ। ଥରେ ପ୍ରକଳ୍ପ ଅନୁମୋଦନ ପରେ ଏହି ବାବଦ ଅର୍ଥ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଂପୃକ୍ତ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଲାଭ ଓ କ୍ଷତି ଖାତାରେ ଜମା କରିବେ। ସଂପୃକ୍ତ ଡିଆର୍ଡିଏ ପ୍ରକଳ୍ପ ନିର୍ଦେଶକ ଏହାକୁ ସହାୟକ ଅନୁଦାନ ଭାବେ ଉଠାଇବେ ଓ ପଞ୍ଚାୟତ ସମିତି ଅର୍ଥାତ୍ ବ୍ଲକକୁ ୨ଟି କିସ୍ତିରେ ( ପ୍ରଥମେ ୫୨% ଓ ପରେ ୪୮%) ପ୍ରଦାନ କରିବେ। ପ୍ରକଳ୍ପର ମୂଲ୍ୟର ୨% ପ୍ରଶାସନିକ ଖର୍ଚ୍ଚ ଭାବେ ବିନିଯୋଗ କରାଯିବ। ପ୍ରଶାସନିକ ବ୍ୟୟ ବରାଦ ହେବାକୁ ଥିବା ଅର୍ଥର ୧% ବ୍ଲକ ପାଇଁ,୦.୫% ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ୦.୫% ବିଭାଗ ଖର୍ଚ୍ଚ କରିବେ। ଏହି ପ୍ରଶାସନିକ ଅର୍ଥରେ ବୈଠକ, ସାମାଜିକ ସମୀକ୍ଷା, ତଥ୍ୟ ପ୍ରବେଶକାରୀ (ଡାଟା ଏଣ୍ଟ୍ରି ଅପରେଟର) ନିୟୋଜନ ବା ନିଯୁକ୍ତି, କମ୍ପ୍ୟୁଟର କିଣାଯିବା ଆଦି ବାବଦରେ ଖର୍ଚ୍ଚ ହେବ।

ଏହି ଯୋଜନାରେ ପ୍ରତି ବ୍ଲକରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟୋଜିତ କରାଯିବ। ଅନୁମୋଦିତ ସେବା ସଂସ୍ଥା ମାଧ୍ୟମରେ ଏମାନଙ୍କୁ ନିଯୁକ୍ତି ଦେବା ଲାଗି ଜିଲ୍ଲାପାଳଙ୍କୁ କ୍ଷମତା ଅର୍ପଣ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ପ୍ରକଳ୍ପ ଅନୁମୋଦନର ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ ଶେଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି ଯେଉଁ ପ୍ରକଳ୍ପ ୬ମାସ ଯାଏ ଆରମ୍ଭ ହୋଇପାରିବ ନାହିଁ, ସେ ବରାଦ ଅର୍ଥ ଅନ୍ୟ ଅଞ୍ଚଳକୁ ଚାଲିଯିବ।