ଏଣିକି ବାଲି ଚୋରି ଉପରେ ଲାଗିବ ଅଙ୍କୁଶ : ବାଲି ଖନନ ଓ ଉତ୍ତୋଳନର ନିୟନ୍ତ୍ରଣ ପାଇଁ ଆସିଲା ତଦାରଖ ବ୍ୟବସ୍ଥା

ରାଜ୍ୟ କ୍ୟାବିନେଟରେ ପାରିତ ହେଲା ୧୪ ପ୍ରସ୍ତାବ; ଇ-ଜାନ ପଲିସିରେ ବି ବାଜିଲା ମୋହର

163

କନକ ବ୍ୟୁରୋ : ବାଲି ଚୋରି ରୋକିବାକୁ ଓଡ଼ିଶା ବାଲି ନୀତି କାର୍ଯ୍ୟକାରୀ କରିବା ପାଇଁ ଅନୁମତି ଦେଇଛି ରାଜ୍ୟ କ୍ୟାବିନେଟ୍ । ରାଜ୍ୟରେ ନଦୀ ବାଲିର ସୁବିନିଯୋଗ ଓ ସୁପରିଚାଳନା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ବାଲି ଚାହିଦା-ଯୋଗାଣ ଅଟକଳ, ବାଲିଉତ୍ସ ଚିହ୍ନଟ, ବାଲିଉତ୍ସର ଡିଜିପିଏସ୍ ସର୍ବେକ୍ଷଣ, ବାଲିଖନନର ନିଲାମ ଅଧିକାର, ପରିବେଶ ଓ ଅନ୍ୟାନ୍ୟ ମଂଜୁରୀ, ବାଲି ଖାଦାନ ପରିଚାଳନା, ଆନ୍ତଃ ରାଜ୍ୟ ପରିବହନ ଏବଂ ତଦାରଖ ଆଦି ଏହି ବାଲି ନୀତିରେ ରହିଛି ।

ଏହାଦ୍ୱାରା ବାଲି ଉତ୍ତୋଳନ ସୁନିଶ୍ଚିତ କରିବା ସହ ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ବାଲି ଯୋଗାଣ ବ୍ୟବସ୍ଥା କରାଯାଇପାରିବ । ବିଶେଷ କରି ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଆଧାରରେ ବାଲିଖନନ ଓ ଉତୋଳନକୁ ନିୟନ୍ତ୍ରଣ କରାଯାଇପାରିବ । ଏକ ଶକ୍ତ ତଦାରଖ ବ୍ୟବସ୍ଥା କରାଯିବ । ବାଲି ଉତ୍ସର ଚିହ୍ନଟ ଠାରୁ ଶେଷ ବ୍ୟବହାରକାରୀଙ୍କ ପର୍ଯ୍ୟନ୍ତ ପୂରା ବ୍ୟବସ୍ଥାକୁ ତଦାରଖ କରାଯିବ । ଏପରି କରି ବାଲି ଚୋରି ବା ବେଆଇନ ବାଲି ଉତ୍ତୋଳନକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ସେପଟେ, ବିଦ୍ୟୁତ ଚାଳିତ ଗାଡ଼ି ବା ଇ-ଭେହିକିଲ୍ ପଲିସିକୁ ମଂଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ପ୍ରଦୂଷଣ ରୋକିବାକୁ ଇ-ଭେହିକିଲ୍ ପଲିସି ଆପଣାଇଛି ଓଡ଼ିଶା । ବିଦ୍ୟୁତ ଚାଳିତ ଯାନକୁ ଲୋକପ୍ରିୟ କରିବାକୁ ଯୋଜନା କରାଯାଇଛି । ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ସରକାର ଦେବେ ପ୍ରୋତ୍ସାହନ । ୨୦୨୫ ସୁଦ୍ଧା ୨୦ ପ୍ରତିଶତ ବ୍ୟାଟେରୀ ତଥା ବିଦ୍ୟୁତ ଚାଳିତ ଯାନ ପ୍ରଚଳନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିପାଇଁ ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ ।

ବିଦ୍ୟୁତ ଚାଳିତ ଯାନର ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ । ଏହି ନୀତି ଆଧାରରେ ଉତ୍ପାଦନକାରୀ କଂପାନୀ, ଯାନ ବ୍ୟବହାରୀ ଜନସାଧାରଣଙ୍କୁ ଆର୍ଥିକ ରିହାତି ଦିଆଯିବ । ଗାଡ଼ି ପଂଜିକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡ଼ କରିବା ବ୍ୟବସ୍ଥା ମଧ୍ୟ ରହିଛି । ଏହାଝନା ପୁରୁଣା ଗାଡ଼ିଗୁଡିକ ସ୍କ୍ରାପ୍ କରିବା ପାଇଁ ପ୍ରୋତ୍ସାହିତ କରାଯିବ । ଏବଂ ଇଲେକ୍ଟ୍ରିକ୍ ଗାଡି କିଣିବା ପାଇଁ ଋଣ ବାବଦକୁ ସୁଧ ଛାଡ ବ୍ୟବସ୍ଥା କରାଯାଇଛି । ଏପରିକି ମଧ୍ୟମ ଷ୍ଟାର୍ଟ ଅପ୍ ପଲିସିରେ ବିଦ୍ୟୁତ ଯାନ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଦିଆଯିବା ପାଇଁ ସ୍ଥିର ହୋଇଛି । ଏ ନେଇ ଇ-ଭେହିକିଲ୍ ପଲିସିରେ ମୋହର ମାରିଛି କ୍ୟାବିନେଟ୍ । ଏହାସହ ମୋଟ ୧୪ଟି ପ୍ରସ୍ତାବକୁ ମଂଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ ।