ଆସନ୍ତାକାଲି ଭାରତ ବନ୍ଦ : ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା; ଓଡ଼ିଶା ବ୍ୟବସାୟ ମହାସଂଘର ସମର୍ଥନ

2,020

କନକ ବ୍ୟୁରୋ : ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ଜିଏସଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ ଆଇନରେ ଥିବା କଠୋର ଜରିମାନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ସଂଘର ଏହି ଡ଼ାକରାକୁ ଓଡ଼ିଶା ବ୍ୟବସାୟର ମହାସଂଘ ସମର୍ଥନ କରିଛି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଓଡ଼ିଶାରେ ଅନ୍ୟ ବ୍ୟବସାୟୀମାନେ ଆସନ୍ତାକାଲି ଦୋକାନ ବନ୍ଦ ରଖି ସହଯୋଗ କରିବାକୁ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକାର ପଣ୍ଡା କହିଛନ୍ତି ଯେ ଜିଏସ୍‌ଟିକୁ ସରଳୀକରଣ କରିବା ପରିବର୍ତ୍ତେ ଅଧିକ ଜଟିଳ କରାଯାଉଛି । ବ୍ୟବସାୟୀଙ୍କ ବିନା ପରାମର୍ଶରେ ଏହାକୁ ବହୁବାର ସଂଶୋଧନ କରାଗଲାଣି । ଯେତେବେଳେ ଜିଏସ୍‌ଟି ଲାଗୁ ହେଲା, ସେ ସମୟରେ ସରକାର ସାଧାରଣ ଟିକସ ବୋଲି ଘୋଷଣା କରିଥିଲେ । କିନ୍ତୁ କ୍ରମେ ଏହାକୁ ଜଟିଳ କରିଦିଆଯାଇଛି। ଏହାଦ୍ବାରା ବ୍ୟବସାୟୀମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି । ସେହିପରି ଇ-କମର୍ସ ବ୍ୟବସାୟ ଯୋଗୁଁ ଭାରତରେ ଥିବା କୋଟି କୋଟି ଦୋକାନୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ।

ଏ ନେଇ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ତେଣୁ ଆସନ୍ତାକାଲି ରାଜ୍ୟରେ ସମସ୍ତ ଦୋକାନ, ବଜାର ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖି ଭାରତବନ୍ଦକୁ ସଫଳ କରାଇବା ପାଇଁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟୀ ମହାସଂଘର କୋଷାଧ୍ୟକ୍ଷ ଗରିଜା ପ୍ରସାଦ ରଥ, ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।