ଆସନ୍ତାକାଲି ଆସିିବ ଓଡ଼ିଶା ବଜେଟ୍ । ବ୍ୟୟ ଅଟକଳ ଛୁଇଁପାରେ ୧ ଲକ୍ଷ ୭୦ ହଜାର କୋଟି । ସ୍ୱାସ୍ଥ୍ୟ ବିଭାଗକୁ ମିଳିପାରେ ଅଧିକ ଅର୍ଥ ।

165

କନକ ବ୍ୟୁରୋ: ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ବଜେଟର ପରିମାଣ ବୃଦ୍ଧି ପାଇପାରେ । ମିିଳିଥିବା ସୂଚନା ଅନୁସାରେ, ବଜେଟର ବ୍ୟୟ ଅଟକଳ ପାଖାପାଖି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଛୁଇଁପାରେ । ଏଥିସହ ରାଜ୍ୟ ସରକାରଙ୍କ ପ୍ରାଥମିକତାର ଶୀର୍ଷରେ ରହିଛି ସ୍ୱାସ୍ଥ୍ୟ ବିଭାଗ । ବିଭାଗକୁ ପ୍ରାୟ ୧୦ ହଜାର କୋଟି ଟଙ୍କା ମିଳିପାରେ । ସ୍ୱାସ୍ଥ୍ୟ ଭିତ୍ତିଭୂମିରୁ ଆରମ୍ଭ କରି ନିଯୁକ୍ତ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇପାରେ ।

ଏହାସହ ବଜେଟରେ ଫୋକସରେ ରହିଛି ପଂଚାୟତି ରାଜ ବିଭାଗ । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବିଭାଗ ପାଇଁ ଅଧିକ ବ୍ୟୟବରାଦ କରିପାରନ୍ତି ରାଜ୍ୟ ସରକାର । ସେହିପରି ମନ୍ଦିର ଗୁଡ଼ିକର ବିକାଶ ପାଇଁ ପୁରୀ, ଲିଙ୍ଗରାଜ, କୋଣାର୍କ ଏବଂ ସମଲେଶ୍ୱରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ରଖିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ପାଇଁ ପ୍ରାୟ ୫ଶହ କୋଟି, ଲିଙ୍ଗରାଜ ମନ୍ଦିର ପାଇଁ ଶହେ କୋଟି ଏବଂ ସମଲେଶ୍ୱରୀ ମନ୍ଦିର ପାଇଁ ମଧ୍ୟ ଶହେ କୋଟି ଟଙ୍କା ବ୍ୟୟବରାଦ କରିପାରନ୍ତି ସରକାର ।

ଅନ୍ୟପଟେ କାଳିଆ ଯୋଜନା ପାଇଁ ସ୍ୱତନ୍ତ୍ର ଅର୍ଥରାଶି ଘୋଷଣା କରିପାରନ୍ତି ସରକାର । ସେହିପରି ଆଗକୁ ପୌର ନିର୍ବାଚନ ଥିବାରୁ ସହରାଚଂଳ ଲୋକଙ୍କୁ ପ୍ରାଥମିକତା ଦେଇପାରନ୍ତି ସରକାର । ଗ୍ରାମାଚଂଳ ଭଳି ସହରାଚଂଳ ଲୋକଙ୍କୁ ନିଯୁକ୍ତି ଓ ରୋଜଗାର ସମ୍ପର୍କିତ କିଛି ନୂଆ ପଦକ୍ଷେପ ନେଇପାରନ୍ତି ସରକାର । ମହାନଗର ନିଗମ ଓ ପୌରାଚଂଳର ଗରିବ ଲୋକଙ୍କ ପାଇଁ ମନରେଗା ଭଳି କାମ ଯୋଗଇବା ପାଇଁ ଏକ ବଡ଼ ଯୋଜନା ଆଣିପାରନ୍ତି ରାଜ୍ୟ ସରକାର । ସେହିପରି ପାନୀୟ ଜଳ, ଗ୍ରାମାଂଚଳ ବିକାଶ, ଶିକ୍ଷା, କୃଷି, କ୍ଷୁଦ୍ରଶିଳ୍ପ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିପାରନ୍ତି ।

ଗୋଟିଏ ପଟେ ଋଣ ବୋଝର ପରିମାଣ ଏକ ଲକ୍ଷ ଟପିଗଲାଣି ଏବଂ କରୋନାର ମାଡ଼ ରାଜ୍ୟ ଅର୍ଥନୀତିକୁ ଦୋହଲାଇ ଦେଇଛି ଆଉ ରାଜସ୍ୱ ମଧ୍ୟ କମିଛି । ଏତିକିବେଳେ ଅର୍ଥନୈତିକ ସର୍ଭେକ୍ଷଣ ରିପୋର୍ଟର ଆକଳନ ଚିନ୍ତା ବଢ଼ାଇ ଦେଇଛି । ଆଉ ଏସବୁ ଭିତରେ କେନ୍ଦ୍ର ବଜେଟରେ ରାଜ୍ୟକୁ ମିଳୁଥିବା ଅନୁଦାନ କମିଥିବା ରାଜ୍ୟ ସରକାର ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ବଜେଟ କିଭଳି ଲୋକାଭିମୂଖୀ ହୋଇପାରିବ ଏବଂ ସାଧାରଣବର୍ଗକୁ ଛୁଇଁବ, ତାହା ଅର୍ଥମନ୍ତ୍ରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ୍ ହେବ ।