ଚାଷୀଙ୍କ ପାଇଁ ପେଡି ଖୋଲିଲେ ପୂଜାରୀ । କୃଷି ପାଇଁ ୧୯, ୪୦୮ କୋଟି ବ୍ୟୟବରାଦ କରିବା ସହ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ‘ସମୃଦ୍ଧି କୃଷିନୀତି-୨୦୨୦’ ଘୋଷଣା କଲେ

315

କନକ ବ୍ୟୁରୋ: କୃଷକଙ୍କ ପାଇଁ ମୁଣି ଖୋଲିଦେଲେ ରାଜ୍ୟ ସରକାର । ଓଡିଶା କୃଷି ଭିତ୍ତିକ ରାଜ୍ୟ ହୋଇଥିବାରୁ ସବୁ ସମୟରେ କୃଷକଙ୍କ ହିତ ଓ ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା କରିଆସିଛନ୍ତି ସରକାର । ଆଉ ଉକ୍ତ ଯୋଜନାରେ କେମିତି ରାଜ୍ୟର ଚାଷୀମାନେ ଉପକୃତ ହୋଇପାରିବେ ସେନେଇ ମଧ୍ୟ ବଜେଟରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନା କଲାବେଳେ କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ତେବେ କୃଷି ପାଇଁ ଚଳିତ ବର୍ଷ ୧୯, ୪୦୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । କୃଷକଙ୍କ ଆୟକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ‘ସମୃଦ୍ଧି କୃଷିନୀତି ୨୦୨୦’ ଘୋଷଣା କରାଯାଇଛି । ଏହା ଦ୍ୱାରା ଚାଷୀଙ୍କ ଆୟ ସ୍ଥିର ହେବା ସହ ଆୟ ବୃଦ୍ଧି ହୋଇପାରିବ । ଚାଷୀଙ୍କୁ ବିହନ ଯୋଗାଇ ଦେବା ପାଇଁ ୧୦୦ କୋଟି ଏବଂ ସାର ପାଇଁ ୧୦୦ କୋଟି ପାଣ୍ଠି ରଖା ଯାଇଛି । ଚଳିତ ବର୍ଷ ଚାଷଜମିକୁ ଜଳ ଯୋଗାଣ କରିବା ପାଇଁ ଅଧିକ ଫୋକସ କରାଯାଇଛି । ପୂର୍ବଥର ଠାରୁ ଏଥର ଆଉ ୧.୮୪ ଲକ୍ଷ ହେକ୍ଟର ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ବିଗତ ୫ ବର୍ଷରେ ୬ଟି ବୃହତ୍ତ ଜଳସେଚନ ପ୍ରକଳ୍ପ କରାଯାଇଛି । ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧୦୬୦ କୋଟି ବ୍ୟୟବରାଦ । ରୁଫ ଟପ ଓ ଗ୍ରାଉଣ୍ଡ ୱାଟର ରିଚାର୍ଜ ପାଇଁ ୫ ବର୍ଷରେ ୨୪୬ କୋଟି ଖର୍ଚ୍ଚ ହେବ ।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଗବେଷଣା କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ । କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧୫୦ କୋଟି ବ୍ୟୟବରାଦ ।

ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ୭୦୦ କୋଟି ବ୍ୟୟବରାଦ । ମିଲେଟ ମିଶନ ପାଇଁ ୧୦୬ କୋଟି ବ୍ୟୟବରାଦ । ୧୫ ଜିଲ୍ଲାରେ ୧୦ ହଜାର ଫୋକରୀ ନବୀକରଣ ପାଇଁ ଯୋଜନା । ମତ୍ସ୍ୟ ଚାଷ ଓ ପଶୁ ପାଳନ ପାଇଁ ଖର୍ଚ୍ଚ ହେବ ୧୨୧୧ କୋଟି ୍ୟ ମାଛ ଚାଷ ପାଇଁ ପୋଖରୀ ଖୋଳିବାକୁ ୨୮ କୋଟି ବ୍ୟୟବରାଦ । ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପାଇଁ ୧୦୦ କୋଟି ବ୍ୟୟବରାଦ ।

ସେପଟେ କୃଷକଙ୍କ ପାଇଁ ସରକାରଙ୍କ ସ୍ୱତନ୍ତ୍ର ସଞ୍ଜିବନୀ ‘କାଳିଆ’ ପାଇଁ ୩, ୧୯୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କାଳିଆ ଯୋଜନାରେ ୫୧୧୫ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି । ଚାଷୀଙ୍କ ଶ୍ରମ ପାଇଁ ଓଡିଶା କୃଷି କର୍ମଣ ପୁରସ୍କାର ପାଇଛି ବୋଲି ଅର୍ଥମନ୍ତ୍ରୀ ପୂଜାରୀ କହିଛନ୍ତି । ତେବେ ଚାଷୀ ଓ ଚାଷକୁ ଫୋକସ ଦେଇ ଆସୁଥିବା ସରକାର ଏଥର ବଜେଟରେ ଅଧିକ କଣ ବ୍ୟୟବରାଦ କରିଛନ୍ତି ଶୁଣନ୍ତୁ ନିମ୍ନରେ ଥିବା ଭିଡିଓରେ…