ଓଡିଶାରେ ପୁଣି ସଂକ୍ରମଣର ନୂଆ ରେକର୍ଡ । ବିଶେଷଜ୍ଞ କହିଲେ, ବାୟୁ ବାହିତ ସଂକ୍ରମଣ ଯୋଗୁଁ ରାଜ୍ୟରେ ବଢୁଥାଇପାରେ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ବି ମୃତ୍ୟୁହାର କମ୍ 

ଆଜି ରାଜ୍ୟରେ ସଂକ୍ରମଣର ରେକର୍ଡ ଭାଙ୍ଗିଛି

917

କନକ ବ୍ୟୁରୋ: ଆଜି ରାଜ୍ୟରେ ସଂକ୍ରମଣର ରେକର୍ଡ ଭାଙ୍ଗିଛି । ଗୋଟିଏ ଦିନରେ ୭୫୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ସଂଖ୍ୟା ବୟାନ କରୁଛି ଯେ ଓଡିଶାରେ କରୋନା ଗ୍ରାଫ ଉପର ମୁହାଁ ହୋଇଛି । ରାଜ୍ୟର ୨୩ ଜିଲ୍ଲାରେ ଚିହ୍ନଟ ହୋଇଥିବା ୭୫୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫୦୮ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୨୪୭ ଜଣ ଆକ୍ରାନ୍ତ । ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ରେ ପହଂଚିଛି ।  ଜିଲ୍ଲା ତାଲିକାର ଶୀର୍ଷରେ ରହିଛି ଗଂଜାମ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦ ଜଣ ଚିହ୍ନଟ ହୋଇଛନ୍ତି  । ଏହାସହ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬ରେ ପହଂଚିଛି ।

ତେବେ ଡାକ୍ତର ମନୋଜ ସାହୁଙ୍କ କହିବା ଅନୁସାରେ, ବାୟୁବାହିତ ସଂକ୍ରମଣ ଯୋଗୁଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଯଦି ଏହା ସତ ହୋଇଥାଏ, ତେବେ ସଂକ୍ରମଣ ଆଗକୁ ଆହୁରି ବଢିଯାଇପାରେ । ସେପଟେ ବରିଷ୍ଠ ଚିକିତ୍ସକ ଡାକ୍ତର ଜୟନ୍ତ ପଣ୍ଡାଙ୍କ କହିବା କଥା ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଆମେ ଚିନ୍ତିତ ହେବାର କୌଣସି କାରଣ ନାହିଁ । କାହିଁକି ନା ଆମ ରାଜ୍ୟରେ ମୃତ୍ୟୁ ହାର ଖୁବ କମ୍ ।

ତେବେ ଓଡିଶାରେ ଲକଡାଉନ୍ ଓ ସଟଡାଉନ୍ ଭଳି ପଦକ୍ଷେପ ପୂର୍ବରୁ ବେଶ୍ ପ୍ରଭାବୀ ଢଙ୍ଗରେ ନିଆ ଯାଇଛି । କିନ୍ତୁ କରୋନା ଭିତରେ ନିଜ କାୟା ବିସ୍ତାର କରିବାରେ ସକ୍ଷମ ହୋଇଛି । ଏପଟେ ଆସନ୍ତା ସପ୍ତାହରୁ କୋଭିଡ-୧୯ ପରୀକ୍ଷା ୮ରୁ ୧୦ ହଜାରକୁ ବୃଦ୍ଧି କରାଯିବା ପାଇଁ ନିଷ୍ପତି ହୋଇଛି ।

ସେପଟେ, ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦିନକ ପାଇଁ ବିଧାନସଭାକୁ ସଟଡାଉନ୍ ଘୋଷଣା କରିଛନ୍ତି ବାଚସ୍ପତି । ବିଧାନସଭାର ଗେଟ୍ ସଂପୂର୍ଣ୍ଣ କରାଯିବା ପରେ ପୁରା କୋଠାକୁ ବିଶୋଧନ କରାଯାଇଛି ।