ଓଡିଶା ପାଇଁ ଗୌରବ ! ଆଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ନେବେ ଦୀପକ ମିଶ୍ର

70

କନକ ବ୍ୟୁରୋ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଜେ.ଏସ୍. ଖେହର ଆଜି ଅର୍ଥାତ ୨୦୧୭, ଅଗଷ୍ଟ ୨୭ ତାରିଖରେ ଅବସର ଗ୍ରହଣ କରୁଥିବା ବେଳେ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ମିଶ୍ର ।

ଜଷ୍ଟିସ ମିଶ୍ର ୧୯୫୩, ଅକ୍ଟୋବର ୩ରେ ଖୋର୍ଦ୍ଧାର ବାଣପୁରଠାରେ ଜନ୍ମ ଗ୍ରହଣ କରିଥିଲେ । ବାଣପୁରସ୍ଥିତ ଗୋଦାବରୀଶ ବିଦ୍ୟାପୀଠରୁ ୧୯୬୯ରେ ମାଟ୍ରିକ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇଂରାଜି ସମ୍ମାନରେ ସ୍ନାତକ ପାସ୍ କରିଥିଲେ । ରେଭେନ୍ସାରୁ ଇଂରାଜୀରେ ସ୍ନାତକୋତ୍ତର ପାସ୍ କରିଥିବା ଜଷ୍ଟିସ ମିଶ୍ର ମଧୁସୂଦନ ଆଇନ କଲେଜରୁ ୧୯୭୬ରେ ଏଲଏଲ୍.ବି. ଡିଗ୍ରି ହାସଲ କରିଥିଲେ । ୧୯୭୭, ଫେବ୍ରୁଆରି ୧୪ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସାମ୍ବିଧାନିକ, ଦେଓ୍ଵାନୀ, ଫୌଜଦାରୀ, ରାଜସ୍ୱ ମାମଲା ସହିତ ଆର୍ବିଟ୍ରେସନ୍, ଚାକିରି, ବିକ୍ରିକର ସଂପର୍କିତ ମାମଲା ଓଡିଶା ହାଇକୋର୍ଟ ଓ ସର୍ଭିସ୍ ଟ୍ରିବୁନାଲରେ ପରିଚାଳନା କରିବାରେ ସେ ସିଦ୍ଧହସ୍ତ ଥିଲେ । ବହୁ ଅର୍ଦ୍ଧ-ସରକାରୀ ସଂସ୍ଥା, କର୍ପୋରେସନ୍ ଓ ଜାତୀୟକରଣ ବୀମା ସଂସ୍ଥାର ମାମଲା ସେ ପରିଚାଳନା କରୁଥିଲେ ।

ଜଷ୍ଟିସ ମିଶ୍ର ୧୯୯୧ରେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ହୋଇଥିଲେ । ଏଥିସହିତ ହାଇକୋର୍ଟ ବାର୍ ଆସୋସିଏସନ୍ କାର୍ଯ୍ୟନିର୍ବାହୀ ପରିଷଦର ସେ ସଦସ୍ୟ ଥିଲେ । ରେଭେନ୍ସା କଲେଜରେ ଶ୍ରେଷ୍ଠ ବକ୍ତା ଭାବେ ତାଙ୍କୁ ‘ବୋରାସମ୍ବର’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କୁ ମଧ୍ୟ ୧୯୭୪ରେ ‘ଲିଟେରାରି ଚାମ୍ପିୟନ’ ଆଓ୍ଵାର୍ଡ ମିଳିଥିଲା । ସେତେବେଳେ ଜଷ୍ଟିସ ମିଶ୍ର ଲେଖିଥିବା ଦୁଇଟି ଓଡ଼ିଆ କବିତା ସଂକଳନ ଉଚ୍ଚ ପ୍ରସଂଶିତ ହୋଇଥିଲା । ନିଜ ଛାତ୍ରଜୀବନ ଓ ଓକିଲାତି ସମୟରେ ଜନହିତକର କାର୍ଯ୍ୟ କରୁଥିବା କେତେକ ସାମାଜିକ ଅନୁଷ୍ଠାନ ସହିତ ଜଷ୍ଟିସ ମିଶ୍ର ଜଡିତ ଥିଲେ ।

୪ ହାଇକୋର୍ଟର ବିଚାରପତି, ୨ଟିରେ ମୁଖ୍ୟ ବିଚାରପତି

୧୯୯୬, ଜାନୁଆରି ୧୭ରେ ଓଡିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଜଷ୍ଟିସ ଦୀପକ ମିଶ୍ର ନିଯୁକ୍ତି ପାଇଥିଲେ । ୧୯୯୭, ମାର୍ଚ୍ଚ ୩ରେ ତାଙ୍କର ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଥିଲା । ୧୯୯୭, ଡିସେମ୍ବର ୧୯ରେ ସେ ସ୍ଥାୟୀ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୦୯, ଡିସେମ୍ବର ୨୩ରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୦, ମେ’ ୨୪ରେ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ବେଳେ ଜଷ୍ଟିସ ମିଶ୍ର ୨୦୧୧, ଅକ୍ଟୋବର ୧୦ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଜଷ୍ଟିସ ମିଶ୍ର ୨୦୧୮, ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ ।

ତୃତୀୟ ଓଡ଼ିଆ ପ୍ରଧାନ ବିଚାରପତି

ଜଷ୍ଟିସ ମିଶ୍ର ଦେଶର ୪୫ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଅନ୍ୟପକ୍ଷରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିବାରେ ସେ ହେବେ ତୃତୀୟ ଓଡ଼ିଆ । ପୂର୍ବରୁ ଜଷ୍ଟିସ ରଙ୍ଗନାଥ ମିଶ୍ର ୧୯୯୦, ସେପ୍ଟେମ୍ବର ୨୫ରେ ପ୍ରଥମ ଓଡିଆ ଭାବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରେ ନିଯୁକ୍ତି ପାଇଥିଲେ । ଜଷ୍ଟିସ ରଙ୍ଗନାଥ ମିଶ୍ର ୧୯୯୧, ନଭେମ୍ବର ୨୪ରେ ଅବସର ଗ୍ରହଣ କରିଥିଲେ । ସେ ଥିଲେ ଦେଶର ୨୧ତମ ପ୍ରଧାନ ବିଚାରପତି । ଏହାପରେ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଦ୍ୱିତୀୟ ଓଡିଆ ଭାବେ ଦେଶର ପ୍ରଧାନ ବିଚାରପତି ପଦରେ ୨୦୦୨, ନଭେମ୍ବର ୮ରେ ନିଯୁକ୍ତି ପାଇଥିଲେ । ସେ ସେହିବର୍ଷ ଡିସେମ୍ବର ୧୯ରେ ଅବସର ନେଇଥିଲେ । ସେ ଥିଲେ ଦେଶର ୩୨ତମ ପ୍ରଧାନ ବିଚାରପତି । ତୃତୀୟ ଓଡିଆ ଭାବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରେ ନିଯୁକ୍ତି ପାଇବାକୁ ଯାଉଥିବା ଜଷ୍ଟିସ ମିଶ୍ର ୨୦୧୮, ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ।

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଅ ପରେ ନାତି

ଜଷ୍ଟିସ ଦୀପକ ମିଶ୍ର ସ୍ୱର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାତି । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଅ ପଣ୍ଡିତ ରଘୁନାଥ ମିଶ୍ର ହେଉଛନ୍ତି ଜଷ୍ଟିସ ଦୀପକ ମିଶ୍ରଙ୍କ ବାପା । ପଣ୍ଡିତ ଗୋଦାବରୀଶଙ୍କ ଅନ୍ୟ ଜଣେ ପୁଅ ଜଷ୍ଟିସ ରଙ୍ଗନାଥ ମିଶ୍ର ଭାରତର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିଥିବା ବେଳେ ଲୋକନାଥ ମିଶ୍ର ଥିଲେ ଆସାମ ରାଜ୍ୟର ରାଜ୍ୟପାଳ । ପୂର୍ବରୁ ପଣ୍ଡିତ ଗୋଦାବରୀଶଙ୍କ ପୁଅ ଭାରତର ପ୍ରଧାନ ବିଚାରପତି ହୋଇ ଓଡ଼ିଶା ପାଇଁ ଇତିହାସ ରଚିଥିବା ବେଳେ ବର୍ତ୍ତମାନ ନାତି ଜଷ୍ଟିସ ଦୀପକ ମିଶ୍ର ଏହି ସମ୍ମାନଜନକ ପଦରେ ନିଯୁକ୍ତି ପାଇ ଓଡିଆ ଜାତି ପାଇଁ ଗୌରବ ଆଣି ଦେଇଛନ୍ତି ।