ଇସ୍ରୋର ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କ ଚାଂଚଲ୍ୟକର ବୟାନ : ଦୋଷା ଓ ଚଟନୀରେ ବିଷ ଦେଇ ଓ ଘରେ ସାପ ଛାଡି ହୋଇଥିଲା ମାରିବାକୁ ଉଦ୍ୟମ

1,800

କନକ ବ୍ୟୁରୋ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ, ଇସ୍ରୋର ଜଣେ ବରିଷ୍ଠ ଓଡିଆ ବୈଜ୍ଞାନିକ ତପନ ମିଶ୍ର ବଡ ଖୁଲାସା କରିଛନ୍ତି । ମଙ୍ଗଳବାର ଦିନ ସେ ଦାବି କରିଛନ୍ତି, ୩ ବର୍ଷ ତଳେ ତାଙ୍କୁ ଖାଦ୍ୟରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା । ସେ ଅଭିଯୋଗ କରିଛନ୍ତି, ୨୦୧୭ରେ ସେ ବେଙ୍ଗାଲୁରୁର ଇସ୍ରୋ ମୁଖ୍ୟାଳୟରେ ପଦୋନ୍ନତି ପାଇଁ ସାକ୍ଷାତକାର ପାଇଁ ଆସିଥିବାବେଳେ ôତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଯୋଜନା ହୋଇଥିଲା ।

ମଙ୍ଗଳବାରଦିନ ନିଜ ସୋସିଆଲ ପୋଷ୍ଟରେ ସେ କହିଛନ୍ତି, ଦ୍ୱିପହରରେ ଦିଆଯାଇଥିବା ଭୋଜନର କିଛି ସମୟ ପରେ ସ୍ନାକ୍ସ ଦିଆଯାଇଥିଲା । ଏଥିରେ ଦିଆଯାଇଥିବା ଦୋଷାର ଚଟଣିରେ ବିଷ ମିଶାଯାଇଥିଲା । କେବଳ ଏତିକି ନୁହେଁ ଘରକୁ ସାପ ପଠାଯାଇ ମାରିବାକୁ ଉଦ୍ୟମ ହୋଇଥିଲା । ତପନ ମିଶ୍ର ବର୍ତମାନ ଇସ୍ରୋର ବରିଷ୍ଠ ପରାମର୍ଶଦାତା ଅଛନ୍ତି ଓ ଏହି ମାସ ଶେଷରେ ସେ ଅବସର ନେବେ । ଅହମ୍ମଦାବାଦସ୍ଥିତ ଇସ୍ରୋରେ ସେ ପୂର୍ବରୁ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି ।

ଫେସବୁକ ପୋଷ୍ଟରେ ତପନ ମିଶ୍ର ଆହୁରି ଲେଖିଛନ୍ତି, ଖାଦ୍ୟ ଭଲ ଲାଗିନଥିବାକୁ ସେ କମ ଖାଇଥିଲେ । ଏହାଦ୍ୱାରା ଜୀବନ ତ ବଂଚିଯାଇଥିଲା , କିନ୍ତୁ ଶରୀରେ ବିଭିନ୍ନ ପାଶ୍ୱ ର୍ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏଥିପାଇଁ ସେ ଦୁଇବର୍ଷ ଚିକିତ୍ସାଧୀନ ଥିଲେ । ଏହି ପୋଷ୍ଟ ସହ ସେ ନିଜର ମେଡିକାଲ ରିପୋର୍ଟ ଓ ପାଦର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି, ଦେଶର ଅନେକ ବୈଜ୍ଞାନିକଙ୍କ ରହସ୍ୟମୟ ମୃତ୍ୟୁ ହୋଇସାରିଛି ।

ତେଣୁ କିଛି ହେବା ପୂର୍ବରୁ ସମସ୍ତେ ଏ ବିଷୟ ଜାଣନ୍ତୁ ବୋଲି ସେ ଚାହିୁଛନ୍ତି । ତେବେ ଖାଦ୍ୟରେ କିଏ ବିଷ ମିଶାଇଥିଲା ଓ କଣ ପାଇଁ ମିଶାଇଥିଲା ତାହା ସେ ଜାଣିନାହାନ୍ତି । ତେବେ ଇସ୍ରୋ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ । ପଦରୁ ହଟାଇବା ପାଇଁ କିଛି ଗୁପ୍ତଚର ଏଭଳି କାମ କରିଥାଇପାରନ୍ତି ବୋଲି ତପନ ମିଶ୍ର ଆଶଙ୍କ ପ୍ରକାଶ କରିଛନ୍ତି ।