ଆନ୍ଧ୍ର ଓଡ଼ିଶା ସୀମା ବିବାଦକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ: କହିଲେ ଓଡ଼ିଶା ଜମିକୁ ମାଡ଼ି ବସୁଛନ୍ତି ପଡ଼ୋଶୀ; ହେଲେ ସୀମା ବିବାଦର ସମାଧାନ କରିପାରିଲେନି ସରକାର

ସେପଟେ, ହାଜତ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା ପାଇଁ ଚେତାବନୀ ଦେଲା ବିଜେପି । ସ୍ୱର ମିଳାଇଲା କଂଗ୍ରେସ

87

କନକ ବ୍ୟୁରୋ: ଓଡ଼ିଶା ସୀମାରେ ଲାଗିଥିବା ବିବାଦକୁ ନେଇ ଆଜି ବିଧାନସଭାରେ ହଟଗୋଳ କରିପାରନ୍ତି ବିରୋଧୀ । କୋରାପୁଟର କୋଟିଆ ଓ ନାରାୟଣ ପାଟଣାର ସୁନାବେଢ଼ାରେ ଆନ୍ଧ୍ର ପ୍ରଶାସନ ଦାଦାଗିରି କରୁଥିବା ଖବର ଏଇ ନିକଟରେ ସାମ୍ନାକୁ ଆସିଛି । ସେଠାକାର ଲୋକଙ୍କୁ ପ୍ରଲୋଭିତ କରିବା ସହ ଓଡ଼ିଶା ସୀମାକୁ ଆନ୍ଧ୍ର ମାଡ଼ି ଆସୁଛି । କେବଳ ଏହି ଗୋଟିଏ ଦୁଇଟି ସ୍ଥାନରେ ନୁହେଁ, ସୀମାରେ ବର୍ଷ ବର୍ଷ ଧରି ଏଭଳି ବିବାଦ ଲାଗି ରହିଛି । ଓଡିଶା ସୀମାରେ ଥିବା ରାଜ୍ୟ ଗୁଡିକ ଓଡିଶା ଜମିକୁ ମାଡି ବସୁଛନ୍ତି । ଏନେଇ ଅନେକ ଥର ବିଧାନସଭାରେ ସୀମା ବିବାଦ ପ୍ରସଙ୍ଗ ଉଠିଛି । ହେଲେ ରାଜ୍ୟ ସରକାର ଏହାର କୌଣସି ସମାଧାନ କରୁନଥିବା ବିରୋଧୀ କଂଗ୍ରେସ ସଦସ୍ୟ କହିଛନ୍ତି । ଆଜି ମଧ୍ୟ ଏହି ପ୍ରସଙ୍ଗ ଉଠିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ବିଧାନସଭାର ଅପରାହ୍ଣ ଅଧିବେଶନ ହେବ ସରଗରମ । ଏନେଇ ଚେତାବନୀ ଦେଇଛି ଭାରତୀୟ ଜନତା ପାଟି । ହାଜତ ମୃତ୍ୟୁ ପ୍ରସଙ୍ଗରେ ହଙ୍ଗାମା ପାଇଁ ଦଳ ଚେତାବନୀ ଦେଇଛିି । ବିଶେଷ କରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ସରକାରୀ ଦଳକୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । କଂଗ୍ରେସ ମଧ୍ୟ ପୁରୀ ଓ ସୁନ୍ଦରଗଡ ବିରମିତ୍ରପୁରରେ ହାଜତ ମୃତ୍ୟୁ ପାଇଁ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ କରିବା ପାଇଁ କହିଛି । ଏପଟେ ଗୃହରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ବିରୋଧୀ ବାହାରେ ଉଠାଇବାକୁ ନାପସନ୍ଦ କରିଛି ବିଜେଡି । ଅମର ଶତପଥୀ କହିଛନ୍ତି ଆଇନ୍ ଅନୁଯାଇ କାର୍ଯ୍ୟାନୁଷ୍ଠାନ ହେବ, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଜବାବ ଦିଆଯିବ ।